ପାଣାଜୀ: ପଶ୍ଚିମ ଭାରତର ଅନ୍ୟତମ ଦକ୍ଷ ରାଜନୈତିଜ୍ଞ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମନୋହର ପାରିକରଙ୍କ ରବିବାର ୬୩ ବର୍ଷ ବୟସରେ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପରଲୋକ ହୋଇ ଯାଇଛି। ପାରିକରଙ୍କ ପରଲୋକରେ ବିଜେପିକୁ ବଡ଼ କ୍ଷତି ପହଂଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମନୋହର ପାରିକରଙ୍କର ଜନ୍ମ ୧୯୫୫ ମସିହାରେ ମାପୁସାରେ ହୋଇଥିଲା । ମେଧାବୀ ମନୋହର ୧୯୭୮ ମସିହାରେ ଆଇଆଇଟି ବମ୍ବେରୁ ଶିକ୍ଷା ସମାପ୍ତ କରିବା ପରେ ଆରଏସଏସରେ ଯୋଗ ଦେଇଥିଲେ । ପରେ ତାଙ୍କର ବିବାହ ୧୯୮୧ ମସିହାରେ ମେଧା ପାରିକରଙ୍କ ସହ ହୋଇଥିଲା । କିନ୍ତୁ ଦାମ୍ପତ୍ୟ ଜୀବନ ବେଶି ଦିନ ରହିନଥିଲା । ୨୦୦୧ ମସିହାରେ ପାରିକରଙ୍କ ପତ୍ନୀଙ୍କର ମଧ୍ୟ କ୍ୟାନସର ରୋଗରେ ମୃତ୍ୟୁ ହୋଇଥିଲା । ପାରିକରଙ୍କର ଉତ୍ପଳ ଓ ଅଭିଜାତ ନାମକ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ଜଣେ ଇଞ୍ଜିନିୟର ଥିବା ବେଳେ ଜଣେ ବ୍ୟବସାୟ କରୁଛନ୍ତି ।
ଆସନ୍ତାକାଲି ରାଷ୍ଟ୍ରୀୟ ଶୋକ
ମନୋହର ପାରିକରଙ୍କ ପରଲୋକରେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଥି ସହିତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦଳର ନେତା ମଧ୍ୟ ଶୋକ ଜଣାଇଛନ୍ତି। କେନ୍ଦ୍ର କ୍ୟାବିନେଟରେ ସୋମବାର ପୂର୍ବହ୍ଣ ୧୧ଟାରେ ଶୋକ ପାଳନ ପରେ ସନ୍ଧ୍ୟା ୫ଟାରେ ଅନ୍ତିମ ସଂସ୍କାର ହେବ।
ଆଇଆଇଟି ବମ୍ବେର ଛାତ୍ର ପାରିକର ୪ ଥର ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଶେଷ ଥର ପାଇଁ ସେ ୨୦୧୭ ମାର୍ଚ୍ଚ ୧୪ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହା ପୂର୍ବରୁ ପାରିକର ୨୦୧୨ ମାର୍ଚ୍ଚ ୯ରୁ ୨୦୧୪ ନଭେମ୍ବର ୮, ୨୦୦୦ ଅକ୍ଟୋବର ୨୪ରୁ ୨୦୦୫ ଫେବ୍ରୁଆରି ୨ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ। ସେହିପରି ପାରିକର ୨୦୧୪ ନଭେମ୍ବର ୯ରୁ ୨୦୧୭ ମାର୍ଚ୍ଚ ୧୩ ଯାଏଁ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।
ବିଦ୍ୟାଳୟରେ ପାଠ ପଢ଼ିବା ସମୟରୁ ପାରିକର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତି ଆକୃଷ୍ଟ ହୋଇଥିଲେ। ସ୍କୁଲ ପାଠ ଶେଷ ହେବା ପରେ ସେ ଆରଏସ୍ଏସ୍ର ମୁଖ୍ୟ ଶିକ୍ଷକ ହୋଇଥିଲେ। ୨୬ ବର୍ଷ ବୟସରେ ଆରଏସ୍ଏସ୍ ସଂଚାଳକ ହୋଇପାରିଥିଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନରେ ଦକ୍ଷିଣ ଗୋଆର ନେତୃତ୍ୱ ନେଇଥିଲେ। ସେ ୧୯୭୮ ମସିହାରେ ଆଇଆଇଟି ମୁମ୍ବାଇରୁ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ପାରିକର ୧୯୯୪ରେ ଗୋଆ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲା। ସେ ଥିଲେ ଆଇଆଇଟିରୁ ପାସ୍ କରିଥିବା ପ୍ରଥମ ବିଧାୟକ।
୧୯୯୪ରେ ପ୍ରଥମ ଥର ବିଜେପି ଟିକେଟରେ ବିଧାୟକ ହେବା ପରେ ପାରିକରଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ି ନ ଥିଲା । ସେ ୧୯୯୯ରେ ଗୋଆ ବିଧାନସଭାର ବିରୋଧୀ ଦଳ ନେତା ହୋଇଥିଲେ। ବର୍ଷ ୨୦୦୦ରେ ପ୍ରଥମ ଥର ଗୋଆ ମୁଖ୍ୟମନ୍ତ୍ରୀ, ୨୦୧୪ରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ପାରିକର ମୋଦି ସରକାରରେ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା।