ଅଧିକାଂଶ ମୁଖ୍ୟମନ୍ତ୍ରୀଙ୍କ ଦାବି : ଲକ୍‌ଡାଉନ୍‌ ହଟାଅ

ଟ୍ରେନ୍ ଚଳାଚଳକୁ ୪ ମୁଖ୍ୟମନ୍ତ୍ରୀଙ୍କ ବିରୋଧ, ଗ୍ରାମାଞ୍ଚଳରେ କରୋନାକୁ ପୂରେଇ ଦିଅନି: ମୋଦୀ

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଆସନ୍ତା ୧୭ ତାରିଖ‌ରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଏହାପରେ କଣ କରାଯିବ ସେସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଜି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲକ୍ ଡାଉନ୍ ହଟାଇବା ସପକ୍ଷରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ମତ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନାକୁ ବ୍ୟାପିବାରୁ ‌ରୋକିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବା ଦରକାର। ଦେଶର ବିଭିନ୍ନ ସ୍ଥାନରେ ଅର୍ଥନ‌ୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଏହା ଆହୁରି ତ୍ବରାନ୍ବିତ ହେବ। କିନ୍ତୁ ଭାରତକୁ କରୋନା ମୁକ୍ତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାଜ୍ୟଗୁଡ଼ିକର ପରାମର୍ଶ ଅନୁଯାୟୀ ଦେଶର ପରବର୍ତ୍ତୀ କରୋନା ମୁକାବିଲା ରାସ୍ତା ଫିଟିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଜଣାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା କରୋନା ଭୂତାଣୁର ସଂକ୍ରମଣ ଯେଭଳି ‌ଗ୍ରାମାଞ୍ଚଳକୁ ନବ୍ୟାପିବ ତାହାକୁ ନିଶ୍ଚିତ କରିବାକୁ ହେବ ବୋଲି ମୋଦୀ କହିଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟଗୁଡ଼ିକ ନେଉଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ କହିଛନ୍ତି ଯେ କରୋନା ମହାମାରୀକୁ ଭାରତ ସଫଳତାର ସହ ପରିଚାଳନା କରୁଛି ବୋଲି ସମଗ୍ର ବିଶ୍ବର ମତ।

ଲକ୍‌ଡାଉନ୍ ସମୟରେ ଲୋକମାନେ ଯେଉଁଠି ଥିଲେ ସେଠାରେ ସେମାନଙ୍କର ସର୍ବୋତ୍କୃଷ୍ଟ ଯନ୍ନ ନେବାର ଆବଶ୍ୟକତା ଥିଲା। କିନ୍ତୁ ଏଭଳି ପରିସ୍ଥିତିରେ ଲୋକମାନେ ଘରମୁହାଁ ହେବା ସ୍ବାଭାବିକ ବୋଲି ମୋଦୀ କହିଛନ୍ତି। ଏଥିପାଇଁ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା ବୋଲି ମୋଦୀ କହିଛନ୍ତି। ସରକାରଙ୍କ ଦ୍ବାରା ନିୟମ କୋହଳ କରାଯିବା ପରେ କରୋନା ଭୂତାଣୁ ଗ୍ରାମାଞ୍ଚଳକୁ ବ୍ୟାପିବା ଆଶଙ୍କା ରହିଛି। ଏହା ଯେଭଳି ଗ୍ରାମାଞ୍ଚଳକୁ ନବ୍ୟାପିବ ତାହା ବଡ଼ ଚ୍ୟାଲେଞ୍ଜ ବୋଲି ମୋଦୀ କହିଛନ୍ତି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଲକ୍ ଡାଉନ୍ ହଟାଇବା ସପକ୍ଷରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ମତ ଦେଇଥିବା ବେଳେ ୪ ଜଣ ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ଅବଧି ବୃଦ୍ଧି ସପକ୍ଷରେ କହିଥିଲେ। ତେବେ ଦେଶରେ ଆସନ୍ତାକାଲିଠାରୁ ଯାତ୍ରୀମାନଙ୍କ ପାଇଁ ଚାଲିବାକୁ ଥିବା ଟ୍ରେନ୍ ସେବାକୁ ୪ ଜଣ ମୁଖ୍ୟମନ୍ତ୍ରୀ ବିରୋଧ କରିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ରପ୍ରଦେଶ, ‌ତେଲେଙ୍ଗାନା, ତାମିଲନାଡ଼ୁ ଓ ଛତିଶଗଡ଼। ଏଥିଯୋଗୁଁ ଦେଶରେ ଜଟିଳ ପରିସ୍ଥିତି ସୃଷ୍ଟି ହେବ। କରୋନା ରୋଗୀଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ପୃଥକ୍‌ ରଖିବା ଏବଂ ସନ୍ଦିଗ୍ଧଙ୍କ ପରୀକ୍ଷା କରିବା କଷ୍ଟକର ହୋଇପଡ଼ିବ ବୋଲି ସେମାନେ ମତ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଏକ ସନ୍ତୁଳିତ ରଣନୀତି ଆପଣେଇବା ସପକ୍ଷରେ ମତ ‌ରଖିଛନ୍ତି। ଏହି ଅବସରରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେରାନା ମୁକାବିଲା ବେଳେ ରାଜନୀତି ନ କରିବାକୁ ପରାମର୍ଶ ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଏକ୍ଷେତ୍ରରେ କେନ୍ଦ୍ର ସରକାର ପାତରଅନ୍ତର କରୁଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ଏପ୍ରିଲ ୨୭ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହାର କିଛିଦିନ ପରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌କୁ ଦୁଇ ସପ୍ତାହ ପାଇଁ ଅର୍ଥାତ୍ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କିନ୍ତୁ ନିୟମରେ ‌ଅନେକ କୋହଳ ଦିଆଯାଇଛି। ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ ତାରିଖରୁ ଲକ୍‌ଡାଉନ୍ ଜାରି ରହିଛି। ମାର୍ଚ୍ଚ ୨୭ ତାରିଖରେ ଆଲୋଚନା ସମୟରେ ସେମାନଙ୍କୁ ମତ ରଖିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ଅନେକ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର