ଏକଲା ଯାତ୍ରୀ ହୋଇ ବିମାନରେ ‘ମହାରାଜା’ଙ୍କ ପରି ଅମୃତସରରୁ ଦୁବାଇ ଗଲେ ଭାରତୀୟ ବ୍ୟବସାୟୀ; କିନ୍ତୁ ଆଉ କେବେ ଏକଲା ଯିବେ ନାହିଁ

ନୂଆଦିଲ୍ଲୀ: ‘ଏୟାର୍‌ ଇଣ୍ଡିଆ’ ଆନ୍ତର୍ଜାତିକ ବିମାନରେ ଅମୃତସରରୁ ସମ୍ପୂର୍ଣ୍ଣ ଏକାକୀ ଦୁବାଇ ଯାତ୍ରା କରିଥିବା ଦୁବାଇଭିତ୍ତିକ ଭାରତୀୟ ବ୍ୟବସାୟୀ ଏସ୍‌.ପି. ସିଂହ ଓବେରଇ କହିଛନ୍ତି ଯେ, ଏ ଯାତ୍ରା ତାଙ୍କୁ ‘ମହାରାଜା’ଙ୍କ ଯାତ୍ରା ପରି ଲାଗିଲା।

ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ଦିନ ବିଶିଷ୍ଟ ବ୍ୟବସାୟୀ ତଥା ଜନହିତୈଷୀ ଏସ୍‌.ପି. ସିଂହ ଓବେରଇ ତିନି ଘଣ୍ଟାର ଏହି ଯାତ୍ରା ସମୟରେ ଦେଖିଲେ ଯେ, ବିମାନ ଗୋଟାକରେ ସେ ହିଁ ଜଣେ ମାତ୍ର ଯାତ୍ରୀ। ଗଣମାଧ୍ୟମକୁ ଓବେରଇ କହିଛନ୍ତି, ଅମୃତସରରୁ ଦୁବାଇ ଯିବା ଲାଗି ଜୁନ୍ ୨୩ ତାରିଖ ପ୍ରତ୍ୟୁଷ ୪ଟା ବେଳେ ମୁଁ ଏୟାର୍‌ ଇଣ୍ଡିଆ (ଏଆଇ-୯୨୯) ଆରୋହଣ କଲି। ମୋର ବଡ଼ ସୌଭାଗ୍ୟ ସେ ବିମାନ ଗୋଟାକରେ ମୁଁ ହିଁ ଥିଲି ଜଣେ ମାତ୍ର ଯାତ୍ରୀ। ଯାତ୍ରା ସମୟରେ ମତେ ମହାରାଜାଙ୍କ ଭଳି ସୁଖ ଲାଗିଲା।

Image Courtesy of MSN

ଦୁବାଇରେ ବ୍ୟବସାୟ କରୁଥିବା ୧୦-ବର୍ଷିଆ ଗୋଲ୍‌ଡେନ୍‌ ଭିସାଧାରୀ ଓବେ‌ରଇ ଏହି ୩ଘଣ୍ଟିଆ ବିମାନଯାତ୍ରା ନିମନ୍ତେ ୭୫୦ ଧିର୍‌ହାମ୍‌ (ଟଙ୍କା) ଦେଇ ଟିକେଟ୍‌ ଖରିଦ କରିଥିଲେ। ସେ କହନ୍ତି, ବିମାନର ସମସ୍ତ ପରିଚାରକ ମତେ ଉତ୍ତମ ଆତିଥ୍ୟ ଦେଲେ। ଫାଙ୍କା ବିମାନଟିରେ ମୋର ଏକାକୀ ଯାତ୍ରାକାଳୀନ ଫଟୋଚିତ୍ର ମଧ୍ୟ ଉତ୍ତୋଳନ କଲେ। ମୁଁ ମଧ୍ୟ ବିମାନର ପରିଚାରକ ଏବଂ ଚାଳକମାନଙ୍କ ସହ ଫଟୋ ଉଠାଇଲି।

ସହଯାତ୍ରୀଙ୍କ ବିନା ବିମାନଯାତ୍ରା ସଂକ୍ରାନ୍ତରେ ଓବେରଇ ପୁଣି କହିଛନ୍ତି, ଯଦି ପୁଣି କେବେ ମତେ ଏକାକୀ ବିମାନରେ ଯାତ୍ରା କରିବାର ସୁଯୋଗ ଜୁଟେ, ମୁଁ ଯିବାକୁ ମନା କରିଦେବି। ଜୀବନରେ ଏ ଭଳି ଅନୁଭୂତି ଥରଟିଏ ହେଲେ ଉତ୍ତମ। ଭାରି କ୍ଳାନ୍ତିଦାୟକ ଯାତ୍ରା। ଯାତ୍ରାକାଳୀନ ସମୟ କଟାଇବା ଲାଗି ମୁଁ ବିମାନର ସିଟ୍‌ ଓ ଝରକା ସଂଖ୍ୟା ଗଣୁଥିଲି।

ଏଭଳି ପରିସ୍ଥିତିରେ ବିମାନଯାତ୍ରା ଲାଗି ‘ଏୟାର୍‌ ଇଣ୍ଡିଆ’ ତାଙ୍କୁ ଅନୁମତି ପ୍ରଦାନ କରୁ ନ ଥିଲା। କିନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ହସ୍ତକ୍ଷେପ କରିବା ପରେ ତାଙ୍କୁ ଅନୁମତି ମିଳିଲା। ଅବଶ୍ୟ ‘ୟୁଏଇ’ର ପୂର୍ଣ୍ଣ ସ୍ବୀକୃତି ପ୍ରାପ୍ତ ଟିକାକରଣ ପ୍ରମାଣପତ୍ର ସମେତ ସେ ଯାତ୍ରା ନିମନ୍ତେ ଆବଶ୍ୟକ ସମସ୍ତ କାଗଜପତ୍ର ତାଙ୍କ ପାଖରେ ଥିଲା।

ସମ୍ବନ୍ଧିତ ଖବର