୪ ଦିନ ବିଳମ୍ବରେ ସାରା ଦେଶ‌ରେ ମୌସୁମୀ ସକ୍ରିୟ

୫୮% ଅଂଚଳରେ କମ୍‌ ବର୍ଷା

ନୂଆଦିଳ୍ଲୀ: ଦେଶରେ ହେଉଥିବା ସମୁଦାୟ ବୃଷ୍ଟିପାତର ୭୫ ପ୍ରତିଶତ କେବଳ ବ‌ାର୍ଷିକ ମୌସୁମୀଜନିତ। ୪ ମାସର ମୌସୁମୀ ଋତୁ ଜୁନ୍‌ ୧ରୁ ଆରମ୍ଭ ହୋଇ‌ ସେପ୍ଟେମ୍ବର ୩୦ରେ ଶେଷ ହୁଏ। ତେବେ ମୌସୁମୀ ଏଥର ଭାରତରେ ଗୋଟିଏ ସପ୍ତାହ ବିଳମ୍ବରେ ପହଞ୍ଚିଛି। ଜୁନ୍‌ ୮ରେ ପ୍ରଥମେ ମୌସୁମୀ କେରଳ ଛୁଇଁଲା କିନ୍ତୁ ଏହାପରେ ଏହାର ଗତି ମନ୍ଥର ହୋଇଯାଇଥିଲା। ତେଣୁ ସାରା ଦେଶ‌ରେ ମୌସୁମୀ ସକ୍ରିୟ ହେବାର ଯେଉଁ ନିର୍ଦ୍ଦିଷ୍ଟ ସମୟସୀମା ରହିଛି ସେହି ସମୟସୀମା ଅତିକ୍ରମ କରି ମୌସୁମୀ ଏଥର ୪ ଦିନ ବିଳମ୍ବରେ ସାରା ଦେଶରେ ସକ୍ରିୟ ହୋଇଛି। ଜୁଲାଇ ୧୫ ତାରିଖ ସୁଦ୍ଧା ମୌସୁମୀ ଦେଶରେ ସର୍ବତ୍ର ସକ୍ରିୟ ହେଉଥିବା ବେଳେ ଚଳିତବର୍ଷ ଏଥି‌ରେ ୪ ଦିନ ବିଳମ୍ବ ହୋଇଯାଇଛି। ଦେଶର ୫୮ ପ୍ରତିଶତ ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଥିବାରୁ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିଛି।

ଗତବର୍ଷ ମୌସୁମୀ ଜୁନ୍‌ ୧୯ ତାରିଖରେ ଦେଶବ୍ୟାପୀ ସକ୍ରିୟ ହୋଇଥିଲା। ତେବେ ୨୦୧୭ ମସିହାରେ ମଧ୍ୟ ଜୁଲାଇ ୧୯ ତାରିଖରେ ମୌସୁମୀ ସାରା ଦେଶରେ ସକ୍ରୀୟ ହୋଇଥିଲା। ୨୦୧୬ରେ ଜୁଲାଇ ୧୩ , ୨୦୧୫ରେ ଜୁନ୍‌ ୨୬, ୨୦୧୪ରେ ଜୁଲାଇ ୧୭, ୨୦୧୩ରେ ଜୁନ୍‌ ୧୬, ୨୦୧୨ରେ ଜୁଲାଇ ୧୧, ୨୦୧୧ରେ ଜୁଲାଇ ୯, ୨୦୧୦ରେ ଜୁଲାଇ ୫ ଏବଂ ୨୦୦୯ରେ ଜୁଲାଇ ୯ ତାରିଖରେ ମୌସୁମୀ ଦେଶବ୍ୟାପୀ ସକ୍ରିୟ ହୋଇଥିଲା। ସୂଚନାଯୋଗ୍ୟ ଦେଶର ୩୬ଟି ପାଣିପାଗ ସବ୍‌ଡିଭିଜନ୍‌ରୁ ୨୧ଟି ସବଡିଭିଜନ୍‌ରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି ଏବଂ ୧୫ଟି ସବ୍‌ଡିଜିଜନ୍‌ରେ ସ୍ବାଭାବିକ ବର୍ଷା ହୋଇଛି। କୋଙ୍କଣ ଏବଂ ଗୋଆ ଅଞ୍ଚଳରେ ୧୬ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ମହାରାଷ୍ଟ୍ର, ବିଦର୍ଭ,‌ ତେଲେଙ୍ଗାନା, ସୌରାଷ୍ଟ୍ର, ଏବଂ କଚ୍‌ରେ ମଧ୍ୟ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ମୌସୁମୀ ଜୁନ୍‌ ୮ ତାରିଖରେ କେରଳରେ ପହଞ୍ଚିଥିଲେ ମଧ୍ୟ ଆରବ ସାଗରରେ ସୃଷ୍ଟ ‘ବାୟୁ’ ବାତ୍ୟା ଯୋଗୁଁ ପ‌ରେ ଏହାର ଗତି ମନ୍ଥର ହୋଇ ଯାଇଥିଲା। ଫଳରେ ଦକ୍ଷିଣ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତ‌ରେ ପ୍ରାୟ ୧୦ରୁ ୧୫ ଦିନ ବିଳମ୍ବରେ ମୌସୁମୀ ପହଞ୍ଚିଥିଲା। ଦେଶରେ ହାରହାରି ବୃଷ୍ଟିପାତ ଜୁନ୍‌ ମାସ ସୁଦ୍ଧା ୩୩ ପ୍ରତିଶତ କମ୍‌ ଥିବାବେଳେ ଏବେ ଏହ‌ା ୧୮ ପ୍ରତିଶତକୁ କମି ଆସିଛି। ‌ତେବେ ମୌସୁମୀ ବର୍ଷା କୃଷି କାର୍ଯ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସ୍ବାଭାବିକଠାରୁ କମ୍‌ ବର୍ଷା ଏବେ ଚାଷୀମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି। ୫୫ ପ୍ରତିଶତ ଚାଷ ଉପଯୋଗୀ ଜମି ବର୍ଷାଜଳ ଉପରେ ନିର୍ଭର କରୁଛି। ତେଣୁ ସ୍ବାଭାବିକ ଠାରୁ କମ୍‌ ବର୍ଷା ଚାଷ ଉପରେ ପ୍ରଭାବ ପକାଇଛି। ଏଥି‌ଯୋଗୁଁ ଖରିଫ୍‌ ଫସଲରେ ପ୍ରବଳ ‌କ୍ଷତି ସହିବାକୁ ପଡ଼ିବ। ଜୁନ୍‌ ୧୯ ସୁଦ୍ଧା ୫୬.୭୩ ନିୟୁତ ହେକ୍ଟର ଜମିରେ ଖରିଫ୍‌ ଫସଲ ଦେଖିବାକୁ ମିଳିଛି ଯାହା ଗତବର୍ଷ ତୁଳନାରେ ୬.୮ ପ୍ରତିଶତ କମ୍‌ ରହିଛି। ‌ତେବେ ଆସନ୍ତା ସପ୍ତାହକ ମଧ୍ୟରେ ଯଦି ମୌସୁମୀ ବର୍ଷା ଠିକ୍‌ ଭାବେ ନହୁଏ ତେବେ ଅନେକ ଅଞ୍ଚଳରେ ମରୁଡ଼ି ସମସ୍ୟା ଦେଖାଦେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର