ମହାନଦୀ ଟ୍ରିବ୍ୟୁନାଲ ଗଠନ ନିର୍ଦ୍ଦେଶ ଦେଇଥିଲେ ବିଚାରପତି ବୋବଡେ

ନୂଆଦିଲ୍ଲୀ : ଆସନ୍ତା ମାସ ୧୮ତାରିଖରେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ରୂପେ ବିଚାରପତି ଏସ ଏ ବୋବଡେ ଶପଥ ଗ୍ରହଣ କରିବେ। ଗତକାଲି ବିଚାରପତି ଏସ ଏ ବୋବଡେଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ହେବା ନେଇ ରାଷ୍ଟ୍ରପତିଙ୍କ ଦ୍ବାରା ହସ୍ତଗତ ପତ୍ର ଜାରି ହୋଇଛି।

ବିଚାରପତି ବୋବଡେଙ୍କ ଦ୍ବାରା ବିଭିନ୍ନ ପ୍ରସଙ୍ଗରେ ପ୍ରଦାନ କରାଯାଇଥିବା ରାୟ ସମ୍ପର୍କରେ ଚର୍ଚ୍ଚା ଚାଲିଥିବାବେଳେ ଓଡ଼ିଶା ପରିପ୍ରେକ୍ଷୀରେ ତାଙ୍କ ଦ୍ବାରା ମହାନଦୀ ଟ୍ରିବ୍ୟୁନାଲ ଗଠନ ନିର୍ଦ୍ଦେଶ ମଧ୍ୟ ବିଶେଷ ଗୁରୁତ୍ବପୂର୍ଣ୍ଣ ଥିଲା। ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ଜାନୁଆରୀ ୨୩, ୨୦୧୮ରେ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଜଳବିବାଦର ସମାଧାନ ପାଇଁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସରକାରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ୨୦୧୭ରେ ଟ୍ରିବ୍ୟୁନାଲ ଗଠନ ନେଇ ଅର୍ଜିନାଲ ସୁଟ୍ ଦାଖଲ କରାଯାଇଥିଲା। ଏପ୍ରିଲ ୨୦୧୮ରୁ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ବିଚାରପତି ଏସ ଏ ବୋବଡେ ଓ ବିଚାରପତି ଏଲ ନାଗେଶ୍ବର ରାଓଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।

ଏହି ମାମଲାରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ନେଇ ବିରୋଧ କରିଥିଲେ। ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବା ନିର୍ଦ୍ଦେଶ ଦେବା ସହିତ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଦେଶକୁ ୪ ସପ୍ତାହ ଭିତରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆଦେଶରେ ସମୟସୀମା ଧାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ନେଇ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ମଧ୍ୟ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୁପ୍ରିମକୋର୍ଟରେ ଓଡ଼ିଶାକୁ ଟ୍ରିବ୍ୟୁନାଲ ଗଠନ ନେଇ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଆଶ୍ପସ୍ଥି ପ୍ରଦାନ କରିଥିବା ବେଳେ କେନ୍ଦ୍ର କ୍ୟାବିନଟ ଦ୍ବାରା ଫେବୃୟାରୀ ୨୨, ୨୦୧୮ରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହାପରେ ଟ୍ରିବ୍ୟୁନାଲ ବିଧିବଦ୍ଧ ଭାବେ ଗଠନ ହୋଇଥିଲା ଏବଂ ବର୍ତ୍ତମାନ ଟ୍ରିବ୍ୟୁନାଲରେ ମାମଲା ଶୁଣାଣି ଜାରି ରହିଛି।

ସମ୍ବନ୍ଧିତ ଖବର