ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ, ବିରୋଧୀ ଦଳ ପାଇଁ ‘କର ବା ମର’ ସ୍ଥିତି

ପାୱାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ, ହରିୟାଣାରେ ବିଏସ୍‌ପି ଖେଳ ବିଗାଡ଼ିବ

ମୁମ୍ବାଇ: ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ମହାରାଷ୍ଟ୍ର ଏବଂ ହରିୟାଣା ରାଜନୀତି ସରଗରମ ହୋଇଉଠିଛି। ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ଥିବାରୁ ଏବେ ପୁନଃ କ୍ଷମତାକୁ ଫେରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁନାହିଁ। ଉଭୟ ରାଜ୍ୟରେ ବିରୋଧୀ ଦଳର ଦୁର୍ବଳ ସ୍ଥିତି ଏବଂ ଆଭ୍ୟନ୍ତରୀଣ କଳହ ଯୋଗୁଁ ବିଜେପିକୁ କ୍ଷମତାଚ୍ୟୁତ କରିବା ଏତେ ସହଜ ହେବନାହିଁ ବୋଲି କୁହାଯାଉଛି । ମହାରାଷ୍ଟ୍ରରେ କଂଗ୍ରେସ-ଏନ୍‌ସିପି ମେଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ବିଜେପି ମଧ୍ୟ ଶିବସେନା ସହିତ ମେଣ୍ଟ କରି ନିର୍ବାଚନରେ ଅବତୀର୍ଣ୍ଣ ହେବ। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁଶାସନ ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ଆମ ଉପରେ ଜନତାଙ୍କ ଆଶୀର୍ବାଦ ରହିଛି ଏବଂ ମୁଁ ପୁଣି ମୁଖ୍ୟମନ୍ତ୍ରୀ ହେବି।

୨୦୧୪ ନିର୍ବାଚନରେ ବିଜେପି ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରୁ ୧୨୨ଟିରେ ଜିତିଥିବା ବେଳେ ଏଥର ଏହି ସଂଖ୍ୟା ବୃଦ୍ଧି କରିବା ବିଜେପିର ପ୍ରମୁଖ ଲକ୍ଷ୍ୟ ରହିଛି । ଗତଥର ୧୨୨ଟି ଆସନରେ ନିର୍ବାଚନ ଜିତିଥିବା ବି‌ଜେପି, ଶିବସେନା ସହାୟତାରେ ସରକାର ଗଠନ କରିଥିଲା। ଗତ ନିର୍ବାଚନରେ ଶିବସେନା ୬୩ଟି ଆସନରେ ନିର୍ବାଚନ ଜିତିଥିବା ବେଳେ କଂଗ୍ରେସ ୪୨ଟି ଆସନ ଦଖଲ କରିଥିଲା। ତେବେ ବିରୋଧୀ ଦଳ ବିଶେଷ କରି ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ପାଇଁ ତାଙ୍କ ରାଜନୈତିକ କ୍ୟାରିୟରରେ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସବୁଠାରୁ ବଡ଼ ଚ୍ୟାଲେଂଜ ହେବ ବୋଲି କୁହାଯାଉଛି। ଏନ୍‌ସିପିର ବହୁ ଟାଣୁଆ ନେତା ଦଳ ଛାଡ଼ି ବିଜେପି ଏବଂ ଶିବସେନାରେ ଯୋଗ ଦେଇଛନ୍ତି। ଅନେକ ଟାଣୁଆ ବିଧାୟକ, ସଂଗଠକ ଏବଂ ସାଂସଦ ଦଳ ଛାଡ଼ିଥିବାରୁ ଏଥର ବିଧାନସଭା ନିର୍ବାଚନରେ ଏନ୍‌ସିପି ପାଇଁ ନେତୃତ୍ବ ସଙ୍କଟ ଦେଖାଦେବ ବୋଲି କୁହାଯାଉଛି। କଂଗ୍ରେସରେ ମଧ୍ୟ ବଡ଼ ଧରଣର ଗୋଷ୍ଠୀ କନ୍ଦଳ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି । ଉଲ୍ଲେଖଯୋଗ୍ୟ ୨୦୧୪ ନିର୍ବାଚନ ପୂର୍ବରୁ କ‌ଂଗ୍ରେସ ଏବଂ ଏନ୍‌ସିପି ଲଗାତାର ୩ଟି କାର୍ଯ୍ୟକାଳ କ୍ଷମତାରେ ଥିଲେ। ଉଭୟ ମହାରାଷ୍ଟ୍ର ଏବଂ ହରିୟାଣାରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ କୃଷକଙ୍କ ସମସ୍ୟା, ବେକାରୀ ସମସ୍ୟା ଏବଂ ଦେଶର ଆର୍ଥିକ ସ୍ଥିତିକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଯୋଜନା କରିଥିବା ବେଳେ ସଂରକ୍ଷଣ ନୀତିକୁ ନେଇ ମଧ୍ୟ ରାଜନୀତି ଜୋର୍‌ଦାର ହେବ ବୋଲି କୁହାଯାଉଛି। ହରିୟାଣାରେ ବିଏସ୍‌ପି ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାରୁ ଏହା କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିବ ଏବଂ ଖେଳ ବିଗାଡ଼ିବ ବୋଲି କୁହାଯାଉଛି । ହରିୟାଣାରେ ୧୮ ପ୍ରତିଶତ ଦଳିତ ଭୋଟର୍‌ ଅଛନ୍ତି। ରାଜ୍ୟର ୧୭ଟି ସଂରକ୍ଷିତ ଆସନରୁ ବିଜେପି ଗତ ନିର୍ବାଚନରେ ୮ଟି ଆସନ ଦଖଲ କରିଥିଲା।

ସମ୍ବନ୍ଧିତ ଖବର