ଦିଲ୍ଲୀରେ ମମତା: ଏକାଠି ହେଉଛନ୍ତି ବିରୋଧୀ

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ମିଳିତ ସାମ୍ମୁଖ୍ୟ ଗଠନ ନିମନ୍ତେ ଜୋର୍‌ଦାର ପ୍ରୟାସ ଚଳାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି। ସୋନିଆଙ୍କୁ ମମତା ୨୦୧୯ ନିର୍ବାଚନ ରଣନୀତି ସଂପର୍କରେ ବୁଝାଇବା ସହ ବିଜେପି ବିରୋଧରେ ସବୁ ରାଜ୍ୟରେ ମୁହାଁମୁହିଁ ଲଢ଼େଇ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଯେଉଁ ରାଜ୍ୟରେ ଯେଉଁ ଦଳ ବିଜେପି ବିରୋଧରେ ଶକ୍ତିଶାଳୀ ରହିଛି ତାହାକୁ ଅନ୍ୟ ଦଳମାନେ ସମର୍ଥନ କରିବା ଆବଶ୍ୟକ ବୋଲି ମମତା କହିଛନ୍ତି। ବିଜେପିକୁ ପରାସ୍ତ କରିବା ପାଇଁ ମହା ସାମ୍ମୁଖ୍ୟ ଗଠନ ହେବ ଏବଂ କଂଗ୍ରେସ ଏଥିରେ ସାମିଲ ହେଲେ ମୋଦି ସରକାରକୁ ହଟାଇବା ସହଜ ହେବ ବୋଲି ମମତା କହିଛନ୍ତି। ତିନି ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ମମତା ଆଜି ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ମଧ୍ୟ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରି ଆସୁଥିବା ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା, ପୂର୍ବ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଏବଂ ଅରୁଣ ସୌରୀ ମମତାଙ୍କୁ ଭେଟି ଆଲୋଚନା କରିଛନ୍ତି। ମିଳିତ ସାମ୍ମୁଖ୍ୟ ଗଠନ ପାଇଁ ମମତାଙ୍କ ଉଦ୍ୟମକୁ ଏନ୍‌୍‌ସିପି ଏବଂ ଶିବସେନା ଦୃଢ଼ ସମର୍ଥନ କରିଥିବା ଜଣାପଡ଼ିଛି। ମମତାଙ୍କୁ ଭେଟିବା ପରେ ଯଶୋବନ୍ତ ସିହ୍ନା କହିଛନ୍ତି ଯେ ମମତା ଏବେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି। ମମତା ବାଜପେୟୀ ସରକାରରେ ସାମିଲ ଥିଲେ ଏବଂ ତାଙ୍କ ଉପରେ ଆମର ପୂରା ଭରସା ରହିଛି ବୋଲି ସିହ୍ନା କହିଛନ୍ତି। ବିମୁଦ୍ରାକରଣ ଏବଂ ଜିଏସ୍‌୍‌ଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ତୁହାକୁ ତୁହା ସମାଲୋଚନା କରି ଅଡ଼ୁଆରେ ପକାଇଥିବା ସିହ୍ନା ଆଗକୁ ମଧ୍ୟ ଦଳ ବିରୋଧୀ ଅଭିଯାନ ତୀବ୍ର କରିବେ ବୋଲି ସଙ୍କେତ ମିଳିଛି। ମମତାଙ୍କୁ ଭୂୟସୀ ପ୍ରଶଂସା କରି ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ଦେଶ ସ୍ୱାର୍ଥରେ ମମତା ନେଇଥିବା ପଦକ୍ଷେପକୁ ସେ ସମର୍ଥନ କରୁଛନ୍ତି ଏବଂ ଦଳଠାରୁ ଦେଶର ସ୍ୱାର୍ଥ ସର୍ବଦା ଊର୍ଦ୍ଧ୍ୱରେ। ଶିବସେନା ନେତା ଉଦ୍ଧବ ଥାକରେ ମଧ୍ୟ ମମତାଙ୍କୁ ଭେଟି ଆଲୋଚନା କରିଛନ୍ତି। ସେନାର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ମୋଦି ନଓ୍ଵାଜ ସରିଫ୍‌ଙ୍କୁ ଭେଟିପାରୁଛନ୍ତି, ତା’ହେଲେ ଆମେ ମମତାଙ୍କୁ ଭେଟିବାରେ ଅସୁବିଧା ରହିଲା କେଉଠିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁକାବିଲା ପାଇଁ ମମତା ପରିକଳ୍ପନା କରିଥିବା ମହା ସାମ୍ମୁଖ୍ୟ ଗଠନକୁ ସାକାର କରିବା ନିମନ୍ତେ ଏବେ ସୁଦ୍ଧା ୭ଟି ଦଳର ଦୃଢ଼ ସମର୍ଥନ ସେ ପାଇଥିବା କୁହାଯାଉଛି। ଏଥିରେ କଂଗ୍ରେସ ସାମିଲ ହେଲେ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ। ଏହି ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ମମତା ଟିଆର୍‌ଏସ୍‌, ଟିଡିପି, ଆରଜେଡି, ସମାଜବାଦୀ ପାର୍ଟି, ଏନ୍‌୍‌ସିପି, ଶିବସେନା ନେତାଙ୍କ ସହ ଆଲୋଚନା ସାରିଥିବାରୁ ଖୁବ୍‌୍‌ଶୀଘ୍ର ମିଳିତ ରଣନୀତି ବୈଠକ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର