ଯୁବ ରେଡକ୍ରସ୍‌ ମହିଳା ସ୍ୱେଚ୍ଛାସେବୀ ତାଲିମ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଭାରତୀୟ ରେଡକ୍ରସ୍‌ ଶାଖା, ଓଡ଼ିଶାର ଯୁବ ରେଡକ୍ରସ୍‌ ପକ୍ଷରୁ ତିନିଦିନିଆ ମହିଳା ସ୍ୱେଚ୍ଛାସେବୀ ତାଲିମ ଶିବିର ଆଜି ସ୍ଥାନୀୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଯାଇଛି। ମାନବିକ ମୂଲ୍ୟବୋଧ ଉପରେ ପ୍ରସ୍ତୁତ ଏହି ଶିବିରରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୧୫୦ରୁ ଅଧିକ ମହିଳା ଯୁବ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଉଚ୍ଚଶିକ୍ଷା ତଥା ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟ ଅତିଥି ଭାବେ ତାଲିମ ଶିବିରକୁ ଉଦ୍‌ଘାଟନ କରିଥିଲେ। ମହିଳା ସଶକ୍ତୀକରଣ ପାଇଁ ଏହିଭଳି ଶିବିରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ।

ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପଦ୍ମଜା ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନାରୀର ସ୍ଥାନ ସବୁଠାରୁ ଉପରେ ବୋଲି କହିଥିଲେ। ପ୍ରଶିକ୍ଷଣ ଶିବିରରୁ ଗ୍ରହଣ କରିଥିବା ଶିକ୍ଷାକୁ ସମାଜର ଦୁଃସ୍ଥ ଓ ଅବହେଳିତମାନଙ୍କ ସେବାରେ ଲଗାଇବା ପାଇଁ ଡ. ମିଶ୍ର ପରାମର୍ଶ ଦେଇଥିଲେ। ଗୋପାଳ କୃଷ୍ଣ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଲିଙ୍ଗରାଜ ପଣ୍ଡା ତାଙ୍କୁ ସହଯୋଗ କରିଥିଲେ। ଯୁବ ରେଡକ୍ରସ୍‌ ଅଧିକାରୀ ଡ. କଳ୍ପନା ଦାସ ଅତିଥିପରିଚୟ ଦେଇଥିବା ବେଳେ ଶେଷରେ ଯୁବ ରେଡକ୍ରସ୍‌ ପରାମର୍ଶଦାତା ସୁଶୀଲ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର