ପିଏମ୍‌ଙ୍କ ବୈଠକରୁ ଦୂରେଇ ରହିଲେ ମମତା

ସମ୍ଭାଳି ଯାଅ ନହେଲେ ଆଗକୁ ବିଦ୍ରୋହ: ରାଜ୍ୟପାଳ

କୋଲକାତା: କେନ୍ଦ୍ର-ରାଜ୍ୟ ବିବାଦ ଥମୁନି। କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସ୍ବତନ୍ତ୍ର ବୈଠକ କରିଥିଲେ। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରୁ ଦୂରେଇ ରହିଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଖୋଲିବା ପରେ କରୋନାକୁ ରୋକିବା ପାଇଁ ରଣନୀତି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କଲେ। ପ୍ରଧାନମନ୍ତ୍ରୀ କହିଲେ, କରୋନାକୁ ‌ଯେତିକି ରୋକିବା ଆମେ ସେତିକି ସଫଳ ହେବା। ଅର୍ଥ ବ୍ୟବସ୍ଥାର ମାଧ୍ୟମ ଖୋଲିଲେ ଅର୍ଥନୀତି ସୁଧୁରିବ। ତେଣୁ ଏ ଦିଗରେ ଦେଶବାସୀଙ୍କ ପୂର୍ଣ୍ଣ ସହଯୋଗ ଲୋଡ଼ା। ଦ୍ବିତୀୟ ଦଫାରେ ଆସନ୍ତା ବୁଧବାର ଦିନ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପୁଣି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରି‌ବେ ପ୍ରଧାନମନ୍ତ୍ରୀ। ଏହି ବୈଠକରେ ମଧ୍ୟ ମମତା ବାନାର୍ଜୀ ଅଂଶ ଗ୍ରହଣ କରିବେ ନାହିଁ ବୋଲି ଜଣାପଡ଼ିଛି।

ସମ୍ଭାଳି ଯାଅ ନହେଲେ ଆଗକୁ ବିଦ୍ରୋହ: ରାଜ୍ୟପାଳ
କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅସହଯୋଗ ନୀତିକୁ ସବୁବେଳେ ବିରୋଧ କରି ଆସୁଛନ୍ତି। କରୋନା ସଙ୍କଟଠାରୁ ମହାବାତ୍ୟା ଅମ୍ଫାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସନ୍ତୋଷଜନକ ଭୂମିକା ନଥିବାରୁ ଆଜି ବର୍ଷିଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ଼। ସେ ମମତାଙ୍କୁ ଚେତାବନୀ ଦେଇ କହିଛନ୍ତି, ସମୟର ସ୍ଥିତିକୁ ଦେଖି ସମ୍ଭାଳି ଯାଅ। ନହେଲେ ସାଧାରଣ ଲୋ‌କେ ଏକଜୁଟ ହୋଇ ବିଦ୍ରୋହ କରିବେ। ସତ୍ୟଜିତ ରାୟଙ୍କ ‘ହୀରକ ରାଜା’ ଚଳଚ୍ଚିତ୍ରର ଉଦାହରଣ ଦେଇ ରାଜ୍ୟପାଳ କହିଲେ, ଚଳଚ୍ଚିତ୍ରରେ ସାଧାରଣ ଲୋକ ଏକଜୁଟ ହୋଇ ଅତ୍ୟାଚାରୀ ରାଜାଙ୍କ ବିରୋଧରେ କିଭଳି ବିଦ୍ରୋହ କଲେ, ସେହିଭଳି ସ୍ଥିତି ସୃଷ୍ଟି ହେବ ଏ ରାଜ୍ୟରେ। ରାଜ୍ୟ ପ୍ରଶାସନ କୌଣସି ଭେଦଭାବ ନରଖି ନିୟମ ଅନୁସାରେ କାମ କରିବା ଉଚିତ। ପରିସ୍ଥିତି ନ ବଦଳିଲେ ଆଗାମୀ ଦିନରେ ଲୋକେ ବିଦ୍ରୋହ କରିବା ଥୟ। ଟ୍ବିଟର ଜରିଆରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର