ଆମେରିକାରୁ ମମତାଙ୍କୁ ଭାରତୀୟ ଡାକ୍ତରଙ୍କ ପରାମର୍ଶ, କରୋନା ଭୂତାଣୁର ଭୟାବହତାକୁ ହୃଦୟଙ୍ଗମ କର

ୱାସିଂଟନ: କୋଭିଡ୍–୧୯ର ସ୍ରଷ୍ଟା ଅଭିନବ କରୋନା ଭୂତାଣୁ ସାର୍ସ–କୋଭ୍–୨ ସଂପର୍କରେ ବର୍ଣ୍ଣନା କରି ଆମେରିକାର ଟେନେସିଠାରେ ଅବସ୍ଥାପିତ ହୃଦ୍‌ରୋଗ ବିଶେଷଜ୍ଞ ଡା. ଇନ୍ଦ୍ରନିଲ୍ ବାସୁରାୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଏକ ସତର୍କତାମୂଳକ ଚିଠି ଲେଖିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଯେ କୌଣସି କଥାକୁ ଖାମଖିଆଲ ଭାବେ ଗ୍ରହଣ ନକରି ସେ ମମତାଙ୍କୁ ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗର ମୂଳ ବାସିନ୍ଦା ଡା. ବାସୁରାୟ ଲେଖିଛନ୍ତି ଯେ ଅତି ସାମାନ୍ୟ ଧରଣର ସଂକ୍ରମଣ ରଚାଉଥିବା କରୋନା ଭୂତାଣୁର ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଉପଦ୍ରବ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଅପେକ୍ଷାକୃତ କମ୍ କ୍ଷତିର ଶିକାର ହୋଇଥିବା ପଶ୍ଚିମବଙ୍ଗ ସମେତ ସାରା ଭାରତ ମଧ୍ୟ ଭାଗ୍ୟଶାଳୀ।

NewstrendTV

ତେବେ ପଶ୍ଚିମବଙ୍ଗରେ ଯେପରି ଅସାଧାରଣ ଭାବେ ଲୋକଙ୍କ ଗହଳିଚହଳି ଲାଗି ରହୁଛି, ସେପରି ସ୍ଥଳେ ଯଦି ଏକ ନିର୍ଦ୍ଦିଷ୍ଟ ବର୍ଗର ଅତିସଂକ୍ରମଣଶୀଳ କରୋନା ଭୂତାଣୁ କାହାକୁ ଆକ୍ରାନ୍ତ କରେ ତାହା ରାଜ୍ୟରେ ଜଙ୍ଗଲ ନିଆଁ ପରି ବ୍ୟାପିଯାଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିବ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତ୍ବକୁ କଡ଼ାକଡ଼ି ଭାବେ ପାଳନ କରି ସେ ପ୍ରକାର ଗଣସଂକ୍ରମଣକୁ ଦୂରେଇ ଦେବା ହିଁ ବୁଦ୍ଧିମାନର କାମ ହେବ। ଅନ୍ୟଥା ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଯେପରି ବିଭୀଷିକାମୟ ପରିସ୍ଥିତି ଦେଖିବାକୁ ପଡି଼ଛି ତାହା ଭାରତରେ ଘଟିବାକୁ ବେଶୀ ସମୟ ଲାଗିବନି ବୋଲି ଡା. ବାସୁରାୟ ସତର୍କ କରାଇଦେଇଛନ୍ତି। କୋଭିଡ୍–୧୯ ପରି ମୃତ୍ୟୁକଳର ଭୟାବହତାକୁ ହୃଦୟଙ୍ଗମ କରି ରାଜ୍ୟରେ ନମୁନା ପରୀକ୍ଷଣକୁ ତ୍ବରାନ୍ବିତ କରିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଏକାନ୍ତବାସରେ ରଖିବା ଏବଂ ଲକ୍‌ଡାଉନ୍‌ ସ୍ଥିତିକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କଟକଣା ଏବଂ ଆବଶ୍ୟକ ଚିହ୍ନଟ ପ୍ରକ୍ରିୟାର ଅଭାବ ଯୋଗୁଁ ଅଚିରେ ହଜାର ହଜାର ଲୋକ କୋଭିଡ୍ ରୋଗରେ ଘାଣ୍ଟିହେବା ସହ ଶହ ଶହ ମୃତ୍ୟୁକୁ ଆମନ୍ତ୍ରଣ କରିବା ସାର ହେବ ବୋଲି ସେ ମମତାଙ୍କୁ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର