ମୁମ୍ବାଇ କାର୍ଗୋ କମ୍ପ୍ଲେକ୍ସରୁ ୪କୋଟିର ହେରୋଇନ୍‌ ଜବତ; ୧ଗିରଫ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା କାର୍ଗୋ କମ୍ପ୍ଲେକ୍ସରୁ ୪ କୋଟି ଟଙ୍କା ମୂଲ୍ୟର ୭୦୦ ଗ୍ରାମ ହେରୋଇନ୍‌କୁ ଜବତ କରିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଗରିଫ ଅଭିଯୁକ୍ତ ଜଣକ ଗୁଜୁରାଟର ବାସିନ୍ଦା ବୋଲି ଜଣେ ଏନସିବି ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ୟୁନିଟ୍‌ ଉପାନ୍ତ ମୁମ୍ବାଇର ଆନ୍ତର୍ଜାତୀୟ କୋରିଅର୍‌ ଟର୍ମିନାଲରେ ଏକ ପାର୍ସଲରେ ଡ୍ରଗ୍‌ସ ଚୋରା ଚାଲାଣ କରା ଯାଉଥିବା ବିଷୟରେ ଏକ ନିର୍ଦ୍ଦିଷ୍ଟ ସୂଚନା ପାଇଥିଲା। ତଦନୁଯାୟୀ, ଗୁରୁବାର କମ୍ପ୍ଲେକ୍ସର ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀମାନେ ଏକ ପ୍ୟାକେଟରେ ୭୦୦ ଗ୍ରାମର ହେରୋଇନ୍‌ ଜବତ କରିଥିଲେ। ଯାହାର ମୂଲ୍ୟ ବଜାରରେ ପ୍ରାୟ ୪ କୋଟି ବୋଲି ଆକଳନ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି।

ଏ ସଂପର୍କରେ ନାର୍କୋଟିକ୍ସ ଡ୍ରଗ୍‌ସ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ ଷ୍ଟାନ୍‌ସ (ଏନଡିପିଏସ୍‌) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ପାର୍ସଲର ମାଲିକ ବାଦୋଦରା ନିବାସୀ କୃଷ୍ଣ ମୁରାରୀ ପ୍ରସାଦଙ୍କୁ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କାର୍ଯ୍ୟାଳୟକୁ ଡକାଯିବା ସହ ଜେରା କରା ଯାଇଥଲା। ପଚରାଉଚରା ପରେ ପ୍ରସାଦଙ୍କୁ ଗିରଫ କରାଯାଇଥିବା ଅଧିକାରୀ କହିଛନ୍ତି। ଏ ଘଟଣା ସଂପର୍କରେ ଏବେ ଏନସିବି ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର