ଖାଦ୍ୟ ପରିବେଷଣ କରୁଥିବା ବେଳେ ଗରମ ରସମ ପାତ୍ରରେ ପଡ଼ି ୨୧ ବର୍ଷୀୟ ଛାତ୍ର ମୃତ

ଚେନ୍ନାଇ: ଚେନ୍ନାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ତିରୁଭାଲୁର ଜିଲ୍ଲାରେ ଗରମ ରସମ ପାତ୍ରରେ ଖସିପଡିବା ପରେ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ସୋମବାର ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।
ପୀଡିତ ଜଣକ ହେଉଛନ୍ତି ଜଣେ କଲେଜ ପଢୁଆ ଛାତ୍ର। ସେ ଏକ କ୍ୟାଟରିଂ ଫାର୍ମରେ ପାର୍ଟ ଟାଇମ୍ ଚାକିରି କରୁଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହୋଇଛନ୍ତି। ଗତ ସପ୍ତାହରେ ଏକ ବିବାହ କାର୍ଯ୍ୟକ୍ରମରେ ଛାତ୍ରଜଣକ ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରୁଥିଲେ। ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରିବା ସମୟରେ ଗରମ ରସମ ହଣ୍ଡାରେ ପଡ଼ି ଯାଇଥିଲେ।

ଯୁବକ ଜଣକ ହଣ୍ଡାରେ ପଡ଼ିଲା ବେଳକୁ ସେଥିରେ ରସମ ଟକ୍‌ମକ୍‌ ହୋଇ ଫୁଟୁଥିଲା। ତେବେ ଅଚାନକ ଏପରି ଅଘଟଣ ଘଟିବା ପରେ ତାଙ୍କୁ ସହରର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଶରୀରରେ ଚିକିତ୍ସାର କୌଣସି ପ୍ରଭାବ ଦେଖିବାକୁ ମିଳୁନଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଛି।  ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ବୋଲି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର