ଝାନ୍‌ସୀ ମେଡିକାଲ୍‌ କଲେଜ୍‌ରେ ରୋଗୀଙ୍କ ମୁଣ୍ଡ ତଳେ କଟା ଗୋଡ଼ ତକିଆ: ତଦନ୍ତ ଆଦେଶ

କାନପୁର: ଶନିବାର ଦିନ ଦୁର୍ଘଟଣାରେ ବାମ ଗୋଡ଼ ହରାଇଥିବା ଜଣେ ସ୍କୁଲ୍‌ ବସ୍‌ କଣ୍ଡକ୍ଟର୍‌ଙ୍କୁ ଝାନ୍‌ସୀ ମେଡିକାଲ୍‌ କଲେଜରେ ଷ୍ଟ୍ରେଚର୍‌ରେ ନେବା ବେଳେ ତାଙ୍କ କଟା ଗୋଡ଼ଟିକୁ ତକିଆ ରୂପେ ତାଙ୍କ ମୁଣ୍ଡ ତଳେ ଦିଆ ଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ଉତ୍ତରପ୍ରଦେଶ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସନ୍ଧ୍ୟାରେ ଡାକ୍ତରୀ ଶିକ୍ଷାମନ୍ତ୍ରୀ ଆଶୁତୋଷ ଟଣ୍ଡନ୍‌ ଏମର୍‌ଜେନ୍‌ସି ମେଡିକାଲ୍‌ ଅଫିସର୍‌ ଡାକ୍ତର ମହେନ୍ଦ୍ର ପାଲ୍‌ ସିଂହ, ରେସିଡେଣ୍ଟ୍‌ ଡାକ୍ତର ଅଶୋକ ଅଗ୍ରଓ୍ଵାଲ୍‌ ଏବଂ ସିଷ୍ଟର୍ସ ଅନ୍‌ ଡିୟୁଟି ଦୀପା ନାରଙ୍ଗ ଏବଂ ଶଶି ଶ୍ରୀବାସ୍ତବଙ୍କୁ ନିଲମ୍ବନ କରିଛନ୍ତି। ମେଡିକାଲ୍‌ ଏଡୁକେସନ୍‌ର ମହା ନିର୍ଦେଶକ ଡାକ୍ତର କେ କେ ଗୁପ୍ତ କହିଛନ୍ତି ଯେ ଫୋନ୍‌ କରି ଡକାଯାଇ ଥିବା କନ୍‌ସଲ୍‌ଟାଣ୍ଟ୍‌ ଡାକ୍ତର ପ୍ରବୀଣ ସରାଓଗି ଠିକଣା ସମୟରେ ଜବାବ ନ ଦେବାରୁ ତାଙ୍କ ବିରୋଧରେ ବିଭାଗୀୟ ବିଚାର ଆରମ୍ଭ ହୋଇଛି।

ରିପୋର୍ଟ ଅନୁସାରେ, ମୌରାଣୀପୁରର ଏକ ପବ୍ଲିକ୍‌ ସ୍କୁଲ୍‌ରୁ ଛାତ୍ରଛାତ୍ରୀଙ୍କୁ ନେଇ ବସ୍‌ଟି ବାମୌରି ଗାଁ’କୁ ଯିବା ବାଟରେ ହଠାତ୍‌ ପଲେ ଗାଈ ବସ୍‌ ସାମ୍ନାକୁ ଚାଲି ଆସିଲେ। ଗାଈମାନଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ସହରର ଲେଚ୍‌ଚୁରା ଅଞ୍ଚଳରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ବସ୍‌ କଣ୍ଡକ୍ଟର୍‌ ୨୮ ବର୍ଷିୟ ଘନଶ୍ୟାମଙ୍କର ବାମ ଗୋଡ଼ଟି କଟି ଗଲା।

ସାମାନ୍ୟ ଆହତ ହୋଇଥିବା ୬ ଜଣ ଛାତ୍ରଙ୍କର ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ଏ ବାବଦରେ କୌଣସି ମାମଲା ଦାଏର କରାଯାଇ ନାହିଁ।

ଟିସ୍ୟୁଗୁଡ଼ିକ ମରିଯାଇଥିବାରୁ କଟା ଗୋଡ଼ଟି ଆଉ ଯୋଡ଼ି ହେବ ନାହିଁ ବୋଲି ମେଡିକାଲ୍‌ କଲେଜର ପ୍ରିନ୍‌ସିପାଲ୍‌ ଡାକ୍ତର ସାଧନା କୌଶିକ କହିଛନ୍ତି।

ସେ ଆହୁରି କହିଛନ୍ତି କି, ସନ୍ଧ୍ୟା ସୁଦ୍ଧା ସେ ରୋଗୀଙ୍କ ପରିବାର ଲୋକେ ତାଙ୍କୁ ଏଠାରୁ ଡିସ୍‌ଚାର୍ଜ କରାଇ କୌଣସି ଘରୋଇ ଡାକ୍ତରଖାନାକୁ ନେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର