‘ଜେଏନ୍‌ୟୁ’ କ୍ୟାମ୍ପସ୍‌ରେ ବ୍ରାହ୍ମଣ-ବିରୋଧୀ ସ୍ଲୋଗାନ୍‌: ରିପୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଦିନ ଜବାହର୍‌ଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟ ପରିସର ଅନ୍ତର୍ଗତ କେତେଗୁଡ଼ିଏ କୋଠା କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ୍‌ ଲେଖାଯାଇଥିବା ଦେଖାଯାଇଥିଲା।

ଏଅଜ୍ଞାତ ଦୁର୍ବୃତ୍ତମାନଙ୍କ କାର୍ଯ୍ୟ ବୋଲି କହି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଘଟଣାର ତଦନ୍ତ କରିବା ଲାଗି ମଧ୍ୟ ଆଦେଶ ଦିଆଯାଇଛି।

ସଂଗୃହୀତ ସୂଚନା ଅନୁସାରେ, କ୍ୟାମ୍ପସ୍‌ରେ ଥିବା ବ୍ରାହ୍ମଣମାନଙ୍କ ପ୍ରତି ଧମକ ବୋଲି ଜଣାପଡୁଥିବା ଉକ୍ତ ସ୍ଲୋଗାନ୍‌ ସବୁ ‘ସ୍କୁଲ୍‌ ଅଫ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଷ୍ଟଡିଜ୍‌-୨’ର ଅଟ୍ଟାଳିକାରେ ଲେଖାଯାଇଥିଲା। ସେହିଭଳି ନଳିନୀ କୁମାର ମହାପାତ୍ର, ରାଜ ଯାଦବ, ପ୍ରବେଶ କୁମାର ଓ ବନ୍ଦନା ମିଶ୍ରଙ୍କ ସମେତ କେତେକ ପ୍ରଫେସର୍‌ଙ୍କ ଚେମ୍ବର୍‌ କାନ୍ଥରେ ‘ଶାଖାକୁ ଫେରିଯାଅ’ ବୋଲି ଲେଖାଯାଇଥିଲା। ଆଉ କେତେକ କାନ୍ଥରେ ଲେଖାଯାଇଥିଲା ‘ବ୍ରାହ୍ମଣ ଭାରତ ଛାଡ଼’, ‘ବ୍ରାହ୍ମଣ ଓ ବଣିଆ ଆମେ ତୁମ ନିକଟକୁ ଯାଉଛୁ। ଆମେ ପ୍ରତିଶୋଧ ନେବୁ’।

Image Courtesy of NDTV

ଏହି ଘଟଣା ପାଇଁ ‘ଆର୍‌ଏସ୍‌ଏସ୍‌’ର ସହଯୋଗୀ ‘ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ୍‌’ ବାମଦଳକୁ ଦାୟୀ କରିଛି। ‘ଏବିଭିପି’ ‘ଜେଏନ୍‌ୟୁ’ ସଭାପତି ରୋହିତ କୁମାର କହିଛନ୍ତି, ଆମର ବିଶ୍ବାସ ଶିକ୍ଷାକ୍ଷେତ୍ର ବିତର୍କ ଓ ଆଲୋଚନା ନିମନ୍ତେ ଉଦ୍ଦିଷ୍ଟ। ସମାଜ ଓ ବିଦ୍ୟାର୍ଥୀ ସମ୍ପ୍ରଦାୟଙ୍କୁ କଳୁଷିତ କରିବାକୁ ନୁହେଁ।

ଏହି ସ୍ଲୋଗାନ୍‌ ସବୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ‘ବ୍ରହ୍ମିନ୍‌ସ୍‌ ଲାଇଭ୍‌ସ୍‌ ମ୍ୟାଟର୍‌’ ଟ୍ରେଣ୍ଡିଙ୍ଗ୍‌ ଆରମ୍ଭ ହୋଇଥିଲା।

ପରେ ପରେ ବିଶ୍ବବିଦ୍ୟାଳୟ ସମସ୍ତଙ୍କର ବୋଲି ପ୍ରତିଶ୍ରୁତି ଦେଇ କର୍ତ୍ତୃପକ୍ଷମାନେ ବିବୃତି ଜାରି କରିଥିଲେ।

ସମ୍ବନ୍ଧିତ ଖବର