ଛତିଶଗଡ଼: ନକ୍ସଲ୍‌ଙ୍କ ଆଇଡି ବିସ୍ଫୋରଣରେ ବିଏସ୍‌ଏଫ୍‌ ଯବାନ ଆହତ: ଗୁଳି ବିନିମୟରେ ଜଣେ ନକ୍ସଲ୍‌ ମୃତ

ରାୟପୁର: ରବିବାର ଦିନ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀମାନଙ୍କର ଆଇଇଡି ବିସ୍ଫୋରଣ ଯୋଗୁଁ ସୀମା ସୁରକ୍ଷା ବଳର (ବିଏସ୍‌ଏଫ୍‌) ଜଣେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଆହତ ହୋଇଥିବା କଥା ପୁଲିସ କହିଛି।

ଅନ୍ୟ ଏକ ଘଟନାରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ବେଳେ ଜଣେ ମାଓବାଦୀ ନିହତ ହୋଇଛି।

ସକାଳ ପ୍ରାୟ ୮: ୩୦ ମିନିଟ୍‌ରେ ମାଓବାଦୀ ଅଧ୍ୟୁଷିତ କାଙ୍କେର ଜିଲ୍ଲାର କୋଲିଆବେଡ଼ା ଅଞ୍ଚଳରେ ରୁଟିନ୍‌ ପଇଁତରା ମାରୁଥିବାବେଳେ ବିସ୍ଫୋରଣ ଘଟିଥିଲା।

ପୁଲିସ କହିଛି ଯେ ମାଓବାଦୀମାନେ କଟ୍ଟାକାଲ ଏବଂ ଗୋମ୍‌ ଗ୍ରାମ ମଧ୍ୟରେ ନିରାପତ୍ତା ବଳଙ୍କୁ ଆକ୍ରମଣ କରିବାକୁ ଛଅଟି ଆଇଡି ବିସ୍ଫୋରଣ କରାଇଛନ୍ତି।

କାଙ୍କେର୍‌ ଏସ୍‌ପି କେଏଲ୍‌ ଧ୍ରୁବ କହିଛନ୍ତି: ସ୍ପିଲ୍‌ଣ୍ଟର୍‌ ଏବଂ ଗୁଳି ଆଘାତ ପାଇ ଆହତ ହୋଇଥିବା ବିଏସ୍‌ଏଫ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ମହେନ୍ଦ୍ର ସିଂହଙ୍କୁ ତୁରନ୍ତ ଅନ୍ତଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା।

ବିସ୍ଫୋରଣ ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଙ୍ଗ୍‌ ଅପରେସନ୍‌ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଆସନ୍ତାକାଲି ବସ୍ତର ଡିଭିଜନ୍‌ର ସାତଟି ଜିଲ୍ଲା ଏବଂ ରାଜନନ୍ଦଗାଓଁ ଜିଲ୍ଲାରେ ଭୋଟ୍‌ ଗ୍ରହଣ କରାଯାଉଥିବାରୁ ନିର୍ବାଚନର ସୁ ପରିଚାଳନା ନିମନ୍ତେ ପ୍ରାୟ ଲକ୍ଷେ ନିରାପତ୍ତା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଭୋଟ୍‌ ବର୍ଜନ କରିବାକୁ ମାଓବାଦୀମାନେ ଭୋଟ୍‌ ଦାତାମାନଙ୍କୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର