‘୨୦୩୦ ସୁଦ୍ଧା ମିଡିଆ କ୍ଷେତ୍ରକୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଉଚିତ୍‌’

ଫିକି ଫ୍ରେମସ୍‌ ଫାଷ୍ଟ ଟ୍ରାକ୍‌-୨୦୨୨ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ସମ୍ବୋଧନ

ଭୁବନେଶ୍ବର: ୨୦୩୦ ସୁଦ୍ଧା ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚିବା ଉଚିତ୍‌। ବର୍ତ୍ତମାନ ଠାରୁ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଆହ୍ବାନ କରିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୧୦ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ । ଏହାକୁ ଦୃଷ୍ଟିରେ ରଖି ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗକୁ ଆମେ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିବା ଉଚିତ୍‌ । ଏହି କ୍ଷେତ୍ରକୁ ସହାୟତା କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ। ମଙ୍ଗଳବାର, ସେପ୍ଟେମ୍ବର ୨୭, ୨୦୨୨ରେ ମୁମ୍ବାଇ ଠାରେ ଅନୁଷ୍ଠିତ ଫିକି ଫ୍ରେମ୍ସ ଫାଷ୍ଟ ଟ୍ରାକ୍‌ ୨୦୨୨ ସମାରୋହର ଉଦଘାଟନୀ ଅଧିବେଶକୁ ସମ୍ବୋଧିତ କରି ସଚିବ ଏହା କହିଥିଲେ।

ଏହି ଅବସରରେ ଶ୍ରୀ ଚନ୍ଦ୍ର ଘୋଷଣା କରିଥିଲେ ଯେ ଭାରତରେ ଚଳଚ୍ଚିତ୍ର କ୍ଷେତ୍ରରେ ଅଧିକ ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ଇନଭେଷ୍ଟ ଇଣ୍ଡିଆରେ ରହିଥିବା ସମ୍ଭାବନାକୁ ଉଜାଗର କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଚଳଚ୍ଚିତ୍ର ୟୁନିଟଗୁଡ଼ିକୁ ଗୋଟିଏ ବ୍ୟବସ୍ଥା ମଧ୍ୟକୁ ଆଣିବା ଲାଗି ପଦକ୍ଷେପ ନିଆଯାଇଛି । ମୁମ୍ବାଇରେ ଥିବା ଏନଏଫଡିସି ସରକାରଙ୍କ ଚଳଚ୍ଚିତ୍ର ଶାଖାର ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ସେ କହିଲେ, ଚଳଚ୍ଚିତ୍ର ସୁବିଧା ପ୍ରଦାନ କାର୍ଯ୍ୟାଳୟର ପୁନରୁଦ୍ଧାର କରିବା ଲାଗି ଚାହୁଁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ମୁଖ୍ୟ ନିବେଶ ଶାଖା, ଇନଭେଷ୍ଟ ଇଣ୍ଡିଆ ହାତରେ ଆମେ ଏହି ଦାୟିତ୍ବ ଦେବାକୁ ଚାହୁଁଛୁ । ଫଳରେ ଭାରତକୁ ବିଦେଶୀ ଉଦ୍ୟୋଗମାନେ ଆକର୍ଷିତ ହୋଇ ଆସିବେ । ବିଦେଶୀ ନିବେଶ ଆକୃଷ୍ଟ କରିବା ଲାଗି ଆମେ ଇନଭେଷ୍ଟ ଇଣ୍ଡିଆ ବ୍ୟବସ୍ଥାର ଉପଯୋଗ କରିବୁ ଏବଂ ଭାରତକୁ ଆସିବା ଲାଗି ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ସମ୍ପର୍କ ସ୍ଥାପନ କରିବୁ ବୋଲି ସଚିବ କହିଥିଲେ।

ଚଳଚ୍ଚିତ୍ର ପ୍ରଯୋଜକ ରମେଶ ସିପ୍ପୀ, ବ୍ରିଟେନର ୱେଷ୍ଟ ୟର୍କସାୟର ମେୟର ଟ୍ରେସୀ ବ୍ରାବିନ, ବିଶିଷ୍ଟ ଅଭିନେତା ରଣବୀର ସିଂ, ଫିକି ଏଭିଜିସି ଫୋରମ ଏବଂ ପୁନରୟୁଗର ପ୍ରତିଷ୍ଠାତା ଆଶିଷ କୁଲକର୍ଣ୍ଣୀ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ଷ୍ଟାଣ୍ଡିଂ କମିଟି ସଦସ୍ୟା ତଥା ସାଂସଦ ସୁମଲତା ଅମ୍ବରୀଶ, ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ସଦସ୍ୟା ତଥା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ସାଂସଦ ସଞ୍ଜୟ ସେଠ, ଫିକିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର