ଭୟରେ କଶ୍ମୀର ଛାଡ଼ୁଛନ୍ତି ପ୍ରବାସୀ ଶ୍ରମିକ: ଲସ୍କର ସହ ଜଡ଼ିତ ଗୋଷ୍ଠୀ ଆକ୍ରମଣରେ ସାମିଲ

ଶ୍ରମିକଙ୍କୁ ନେଇ ଜାରି ବିଜ୍ଞପ୍ତି ଭୁଲ୍‌: ଜମ୍ମୁ କଶ୍ମୀର ପୁଲିସ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ଆତଙ୍କବାଦୀମାନେ ଲଗାତାର ଭାବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରି ଏବଂ ବିଶେଷ କରି ଅଣ-କଶ୍ମୀର ବାସିନ୍ଦାଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ କରୁଥିବାରୁ ଏନେଇ ଭୟ ବଢ଼ିଛି। ଗତ କିଛି ଦିନ ଧରି କଶ୍ମୀରରେ ଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଅତ୍ୟାଚାର ବଢ଼ିଛି। ଶନିବାର ଦିନ ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ଗତକାଲି ମଧ୍ୟ ପୁଣି ଅନ୍ୟ ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ଗତ ୧୫ ଦିନ ମଧ୍ୟରେ ମୋଟ୍‌ ୧୧ ଜଣ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏଥିପାଇଁ କଶ୍ମୀରରେ ରହୁଥିବା ଅଣ-କଶ୍ମୀର ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଭୟ ବଢ଼ିଛି। ଅନେକ ସଂଖ୍ୟାରେ ପ୍ରବାସୀ ଶ୍ରମିକ କଶ୍ମୀର ଛାଡ଼ି ଦେଇ ଜମ୍ମୁ ମୁହାଁ ହୋଇଛନ୍ତି। କଶ୍ମୀରରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେମାନେ ନିଜ ଜୀବନ ବଞ୍ଚାଇବାକୁ ଭୟରେ ଅଛନ୍ତି। ପାଖରେ ଟଙ୍କା ନାହିଁ। କିଛି ଶ୍ରମିକ ଏକ ଇଟା ଭାଟିରେ କାମ କରୁଥିଲେ। କିନ୍ତୁ ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ମିଳିନି। ପାରିଶ୍ରମିକ ନପାଇ ସେମାନେ ପ୍ରାଣ ବିକଳରେ କଶ୍ମୀର ଛାଡ଼ି ଦେଇଛନ୍ତି। ତେବେ ଆତଙ୍କବାଦୀମାନେ ଲଗାତାର ଭାବେ ପ୍ରବାସୀ ଶ୍ରମିକଙ୍କୁ ଟା‌ର୍ଗେଟ୍‌ କରି ହତ୍ୟା କରୁଥିବାରୁ ଏଥିପାଇଁ ଭୟ ବଢ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ଦିନ ମଧ୍ୟରେ କଶ୍ମୀରରେ ୧୧ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି।

କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ ଏବଂ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସ୍ଥିତି ସମୀକ୍ଷା କରୁଛନ୍ତି। ସିଆରପିଏଫ୍‌, ଏନ୍‌ଆଇଏ ଏବଂ ଭାରତୀୟ ସେନାର ଶୀର୍ଷ ଅଧିକାରୀମାନେ କଶ୍ମୀରରେ ରହି ସମସ୍ତ ସ୍ଥିତି ସମୀକ୍ଷା କରୁଛନ୍ତି। ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ସିଆରପିଏଫ୍‌ ଡିଜି ଏବଂ ଏନ୍‌ଆଇଏ ଡିଜି ଏବେ କଶ୍ମୀରରେ ଅଛନ୍ତି। ସେହିପରି ଆଇବି, ଭାରତୀୟ ସେନା ଏବଂ ସିଆରପିଏଫ୍‌ର ବରିଷ୍ଠ ଅଧିକାରୀମାନେ କଶ୍ମୀରରେ ରହି ସ୍ଥିତି ସମୀକ୍ଷା କରୁଛନ୍ତି। ଅନ୍ୟପକ୍ଷେ ଲସ୍କର ସହ ଜଡ଼ିତ ଆତଙ୍କବାଦୀ ଗୋଷ୍ଠୀ କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଧମକ ଦେଇଛି। ଲସ୍କର ସହ ଜଡ଼ିତ ଆତଙ୍କବାଦୀ ଗୋଷ୍ଠୀ ୟୁନାଇଟେଡ୍‌ ଲିବରେସନ୍‌ ଫ୍ରଣ୍ଟ୍‌ ଗତକାଲିର ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଛି ଏବଂ ପ୍ରବାସୀ ଶ୍ରମିକଙ୍କୁ କଶ୍ମୀର ଛାଡ଼ିଦେବା ପାଇଁ ଧମକ ଦେଇଛି। ଗତକାଲି କଶ୍ମୀରରେ ହତ୍ୟାର ଶିକାର ହୋଇଥିବା ୨ ପ୍ରବାସୀ ଶ୍ରମିକ ବିହାରର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ଗତକାଲି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଫୋନ୍‌ କରିଛନ୍ତି ଏବଂ କଶ୍ମୀରରେ ସାଧାରଣ ନାଗରିକଙ୍କ ବିରୋଧରେ ବଢ଼ୁଥିବା ହତ୍ୟା ପାଇଁ ସେ ଚିନ୍ତା ପ୍ରକଟ କରିଛନ୍ତି।

ଜମ୍ମୁ କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଜାରି ହୋଇଥିବା ଏକ ପୁଲିସ ବିଜ୍ଞପ୍ତି ଭୁଲ୍‌। କଶ୍ମୀରରେ ଥିବା ସମସ୍ତ ପ୍ରବାସୀଙ୍କୁ ତୁରନ୍ତ ଜିଲ୍ଲା ପୁଲିସ କର୍ତ୍ତୃପକ୍ଷଙ୍କ ଦ୍ବାରା ନିକଟସ୍ଥ ସେନା ଏବଂ ପୁଲିସ ଶିବିରକୁ ସ୍ଥାନାନ୍ତର କରାଯିବା ନେଇ ଏକ ପୁଲିସ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଏହି ବିଜ୍ଞପ୍ତି ଭୁଲ୍‌ ବୋଲି ଜମ୍ମୁ କଶ୍ମୀର ପୁଲିସ ଆଇଜି ଆଜି ଏକ ଟ୍ବିଟ୍‌ କରି ସ୍ପଷ୍ଟ କରିଛନ୍ତି। ଏଭଳି କୌଣସି ବିଜ୍ଞପ୍ତି ଜାରି ହୋଇନାହିଁ ବୋଲି ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ଦକ୍ଷିଣ କଶ୍ମୀରର କୁଲଗାମରେ ଗତକାଲି ୨ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା ପ‌ରେ ଏହି ବିଜ୍ଞପ୍ତି ଜାରି ହୋଇଥିଲା। ଶନିବାର ମଧ୍ୟ ବିହାର, ଉତ୍ତରପ୍ରଦେଶର ୨ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର