ଦକ୍ଷିଣ କୋରିଆ ପ୍ରତି ‘ପ୍ରତିଶୋଧମୂଳକ ଦଣ୍ଡ’ ନିମନ୍ତେ ନିୟୁତ ନିୟୁତ ଲିଫ୍‌ଲେଟ୍ ପ୍ରସ୍ତୁତ କରି ରଖାଯାଇଛି: ଉତ୍ତର କୋରିଆ

ସିଓଲ: ଦକ୍ଷିଣ କୋରିଆ ପ୍ରତି ‘ପ୍ରତିଶୋଧମୂଳକ ଦଣ୍ଡ’ ନିମନ୍ତେ ହଜାର ହଜାର ବେଲୁନ୍‌ ଓ ନିୟୁତ ନିୟୁତ ଲିଫ୍‌ଲେଟ୍ ପ୍ରସ୍ତୁତ କରି ରଖାଯାଇଥିବା କଥା ସୋମବାର ଦିନ ଉତ୍ତର କୋରିଆ କହିଛି।

ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କିଛି ଦିନ ପୂର୍ବେ ସୀମାନ୍ତ ଅଞ୍ଚଳରେ ସିଓଲ୍ ବେଲୁନ୍‌ ସହାୟତାରେ ଉତ୍ତର କ‌ୋରିଆ ବିରୋଧୀ ଲିଫ୍‌ଲେଟ୍ ଛାଡ଼ିଥିଲା। ଏହାକୁ ବିରୋଧ କରି ଉତ୍ତର କୋରିଆ ସିଓଲ୍‌କୁ କ୍ରମାଗତ ତୀବ୍ର ସମାଲୋଚନା କରିଥିଲା। ଏହାପରେ ଉତ୍ତର କୋରିଆ କହିଥିଲା ଯେ, ଦକ୍ଷିଣ ବିରୋଧରେ ସେ ଲିଫ୍‌ଲେଟ୍ ଅଭିଯାନ ନିମନ୍ତେ ପ୍ରସ୍ତୁତି କରୁଛି।

ଦକ୍ଷିଣ କୋରିଆକୁ ଚାଲିଯାଇଥିବା ଦେଶଦ୍ରୋହୀମାନେ ମାନବିକ ଅଧିକାର ଉଲ୍ଲଂଘନ ଏବଂ ଆଣବିକ ଉଚ୍ଚାକାଙ୍‌କ୍ଷା ନିମନ୍ତେ ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ୍-ଉନ୍‌ଙ୍କୁ ଲିଫ୍‌ଲେଟ୍‌ ମାଧ୍ୟମରେ ସମାଲୋଚନା କରିଛନ୍ତି। ଦକ୍ଷିଣ କ‌ୋରିଆରୁ ସେମାନେ ଏହି ଲିଫ୍‌ଲେଟ୍ ସବୁ ବେଲୁନ୍‌ରେ ଉଡ଼ାଉଛନ୍ତି କିଂବା ବୋତଲରେ ପୂରାଇ ଭସାଇ ଦେଉଛନ୍ତି।

Image Courtesy of The Times of India

ସମୀକ୍ଷକମାନେ କହୁଛନ୍ତି ଯେ ସିଓଲ ଏବଂ ୱାସିଂଟନ୍‌ ଠାରୁ ଆର୍ଥିକ ସୁବିଧା ପାଇବା ଲକ୍ଷ୍ୟରେ ଉତ୍ତର କୋରିଆ ଗୁଡ଼ାଏ ବିରକ୍ତିକର କାର୍ଯ୍ୟ କରୁଛି। କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି କହିଛି, ଶତ୍ରୁ ବିରୋଧରେ ସବୁଠୁ ବିପୁଳସଂଖ୍ୟକ ଲିଫ୍‌ଲେଟ୍‌ ବଣ୍ଟନ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।

ରାଜଧାନୀ ନଗରୀରେ ଥିବା ସବୁ ଶ୍ରେଣୀର ପ୍ରକାଶନ ଓ ମୁଦ୍ରଣ ପ୍ରତିଷ୍ଠାନଗୁଡ଼ିକ ବିଭିନ୍ନ କିସମର ୧୨ ନିୟୁତ ଲିଫ୍‌ଲେଟ୍ ଛାପିଛନ୍ତି। ଏଥିରେ ସମାଜର ସବୁ ବର୍ଗର ଲୋକମାନଙ୍କର କ୍ରୋଧ ଓ ଘୃଣା ପ୍ରତିଫଳିତ ହୋଇଛି।

ଏହି ଲିଫ୍‌ଲେଟ୍ ସବୁକୁ ନେଇ ଦକ୍ଷିଣ କୋରିଆର ଅଭ୍ୟନ୍ତର ସ୍ଥାନମାନଙ୍କରେ ଫିଙ୍ଗିବାକୁ ସାମର୍ଥ୍ୟ ଥିବା ବିଭିନ୍ନ ପ୍ରକାରର ୩୦୦୦ରୁ ଅଧିକ ବେଲୁନ୍ ପ୍ରସ୍ତୁତ ହୋଇଛି। ବେଲୁନ୍ ବ୍ୟତିରେକେ, ଅନ୍ୟାନ୍ୟ ଉପାୟରେ ମଧ୍ୟ ଏହି ଲିଫ୍‌ଲେଟ୍ ସବୁ ବଣ୍ଟନ କରାଯିବ।

ସମ୍ବନ୍ଧିତ ଖବର