ନୂଆଦିଲ୍ଲୀ : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ : ଦିଲ୍ଲୀର ପୀରଗଦି ଅଞ୍ଚଳର ପଶ୍ଚିମ ବିହାରରେ ଜଣେ ୧୩ ବର୍ଷୀୟା ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ତା’ ମୁଣ୍ଡରେ ଛୁରୀ ଭୁଷି ହତ୍ୟା ଉଦ୍ୟମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦୁର୍ବୃତ୍ତ ଉକ୍ତ ନାବାଳିକା ସହ ବର୍ବର ଭାବେ ଦୁଷ୍କର୍ମ କରିବା ପରେ ତା’ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଛୁରୀ ଭୁଷି ଗୁରୁତର କରି ଦେଇଛି। ମୁର୍ମୂଷୁ ଅବସ୍ଥାରେ ଉକ୍ତ ନାବାଳିକାକୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ନାବାଳିକାଟି ଏବେ ଏମ୍‌ସରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛି। ଉକ୍ତ ନାବାଳିକାର ବାପା, ମା’ ଶ୍ରମିକ ଶ୍ରେଣୀର ଏବଂ ସେ ପଶ୍ଚିମବିହାରର ଏକ ଶ୍ରମିକ ବସ୍ତିରେ ରହୁଥିଲେ। ନାବାଳିକାର ବାପା, ମା’ ଘରେ ନଥିବାବେଳେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଏଭଳି ଭୟାନକ ଆକ୍ରମଣ କରିଥିଲା। ମାତ୍ର ସେଠାରେ ଲୋକ ଉପସ୍ଥିତ ହୋଇଯିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ ହସ୍ପିଟାଲ ଯାଇଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି।

ନାବାଳିକାକୁ ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍‌ ନେଇଥିଲେ। ପୁଲିସ ଏହି ମାମଲାରେ କେତେଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ନାବାଳିକା ସହ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ବୋଲି ଦିଲ୍ଲୀ ମହିଳା କମିସନ୍‌ ମୁଖ୍ୟ ସ୍ବାତୀ ମାଲିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର