୩୩ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ୍‌କେ ଷ୍ଟାଲିନ୍‌

ଚେନ୍ନାଇ: ୩୩ଜଣ କ୍ୟାବିନେଟ୍‌ ସଦସ୍ୟଙ୍କ ସହ ‘ଡିଏମ୍‌କେ’ର ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ଆଜି ସକାଳେ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇସ୍ଥିତ ରାଜଭବନରେ ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Image Courtesy of ANI

ମୁଖ୍ୟମନ୍ତ୍ରୀ ହେବା ସହ ଷ୍ଟାଲିନ୍‌ ତାମିଲନାଡୁର ଗୃହମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି। ତେଣୁ, ପ୍ରଶାସନିକ ଏବଂ ପୁଲିସ ସେବା, ସାଧାରଣ ପ୍ରଶାସନ, ସର୍ବଭାରତୀୟ ସେବା, ଜିଲ୍ଲା ରାଜସ୍ବ ଅଧିକାରୀ, ସ୍ବତନ୍ତ୍ର ଯୋଜନା ପ୍ରଣୟନ ଏବଂ ଭିନ୍ନକ୍ଷମ କଲ୍ୟାଣ ସମେତ ଅନ୍ୟାନ୍ୟ ଅନେକ ବିଭାଗ ତାଙ୍କ ଅଧୀନରେ ରହିବ।

Image Courtesy of India Today

ଦକ୍ଷିଣ ଭାରତର ଏହି ରାଜ୍ୟ କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା କରୁଥିବା ବେଳେ ଏମ୍‌କେ ଷ୍ଟାଲିନ୍‌ ପ୍ରଥମ ଥର ପାଇଁ ଏହାର ଶୀର୍ଷ ପଦବୀ ମଣ୍ଡନ କରିଛନ୍ତି। ତାଙ୍କ ସହ ଶପଥ ନେଇଥିବା ୩୪ଜଣ କ୍ୟାବିନେଟ୍‌ ସଦସ୍ୟଙ୍କ ମଧ୍ୟରୁ ୧୮ଜଣ ପୂର୍ବରୁ ତାମିଲନାଡୁ ସରକାରଙ୍କର ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିଲେ। ବାକି ୧୫ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହେଉଛନ୍ତି।

ସୂଚନାଯୋଗ୍ୟ, ସରକାର ଗଠନ କରିବା ପାଇଁ ଷ୍ଟାଲିନ୍‌ ଦାବି ଉପସ୍ଥାପନ କରିବା ପରେ ବୁଧବାର ଦିନ ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ତାଙ୍କୁ ଆମନ୍ତ୍ରଣ ଜଣାଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ।

ସମ୍ବନ୍ଧିତ ଖବର