ଶ୍ରୀଲଙ୍କାରେ ମୋଦୀ: ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ପାଇଁ ସହମତି

ଆତ୍ମଘାତୀ ବିସ୍ଫୋରଣ ମୃତକଙ୍କୁ ଚର୍ଚ୍ଚରେ ଶ୍ରଦ୍ଧାଞ୍ଜଳି

କଲୋମ୍ବା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାକୁ ଦିନିକିଆ ଗସ୍ତରେ ଆସି ରାଷ୍ଟ୍ରପତି ମୈତ୍ରିପାଲ ଶିରିସେନାଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ନେତା ଆତଙ୍କବାଦ ନିପାତ ପାଇଁ ମିଳିତ ଲଢ଼େଇ ନିମନ୍ତେ ସହମତି ପ୍ରକାଶ କରିଛନ୍ତି। ଶ୍ରୀଲଙ୍କାରେ ଏପ୍ରିଲରେ ଇଷ୍ଟର ଅବସରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ପ୍ରଥମ ବିଦେଶୀ ନେତା ଭାବେ ଶ୍ରୀଲଙ୍କା ଗସ୍ତ କରିଛନ୍ତି। ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀଲଙ୍କା ସହିତ ଭାରତ ଦୃଢ଼ ଭାବେ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରମାଣିତ କରିଛି । ଆଜି ଦ୍ବିପାକ୍ଷିକ ଆଲୋଚନା ପରେ ଦୁଇ ଦେଶ ମିଳିତ ଭାବେ ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ସହ ଆଂଚଳିକ ଶାନ୍ତି ଓ ସ୍ଥିରତାକୁ ସର୍ବାଧିକ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ରାଷ୍ଟ୍ରପତି ଭବନରେ ଆଜି ମୋଦୀଙ୍କୁ ଔପଚାରିକ ସ୍ବାଗତ ପୂର୍ବରୁ ବର୍ଷା ହେବାରୁ ରାଷ୍ଟ୍ରପତି ଶିରିସେନା ହାତରେ ଛତା ଧରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବର୍ଷାରୁ ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ବିରୋଧୀ ଦଳ ନେତା ମହିନ୍ଦା ରାଜପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟକୁ ଉଦ୍‌ବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭଣ୍ଡାରନାୟକେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଉପସ୍ଥିତ ରହି ସ୍ବାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଆଲୋଚନା ପୂର୍ବରୁ ମୋଦୀ କଲମ୍ବୋର ସେଣ୍ଟ୍‌ ଆନ୍ଥୋନି ଚର୍ଚ୍ଚକୁ ଯାଇ ଇଷ୍ଟର ରବିବାର ଆତ୍ମଘାତୀ ବିସ୍ଫୋରଣର ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ମୋଦୀ କହିଥିଲେ ଯେ ଆତଙ୍କବାଦୀଙ୍କ କୌଣସି ବର୍ବରତା ଶ୍ରୀଲଙ୍କାର ସଂକଳ୍ପକୁ ଦୋହଲାଇ ପାରିବ ନାହିଁ। ଶ୍ରୀଲଙ୍କାରେ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ଦ୍ବାରା କରାଯାଇଥିବା ଏହି ଆକ୍ରମଣରେ ୨୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର