ମୋଦୀ ମଧ୍ୟ ମୋ ପୁଅ : ଶାହିନବାଗ୍‌ର ବିଲ୍‌କିସ ଦାଦି

ନୂଆଦିଲ୍ଲୀ : ଟାଇମ୍‌ ମାଗାଜିନ୍‌ର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବା ଦିଲ୍ଲୀ ଶାହିନବାଗ୍‌ର ବିଲ୍‌କିସ ଦାଦି ଆଜି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପୁଅ। ଯଦି ତାଙ୍କୁ ମୋଦୀଙ୍କୁ ଭେଟିବା ପାଇଁ ଆମନ୍ତ୍ରିତ କରାଯାଏ ତେବେ ସେ ଖୁବ୍‌ ଖୁସି ହେବେ। ୮୨ ବର୍ଷୀୟା ବିଲ୍‌କିସ ଦାଦି ଶାହିନ ବାଗ୍‌ ଆନ୍ଦୋଳନରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ଥିଲେ। ଯଦି ତାଙ୍କୁ ଆମନ୍ତ୍ରିତ କରାଯାଏ ତେବେ ସେ ମୋଦୀଙ୍କୁ ଭେଟିବାକୁ ଯିବେ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ବିଲ୍‌କିସ୍‌ କହିଛନ୍ତି, କାହିଁକି ନୁହେଁ। ମୁଁ ମୋଦୀଙ୍କୁ ଭେଟିବାକୁ ଯିବି। ମୋଦୀଜୀଙ୍କୁ ସେ ତାଙ୍କ ଦୁଃଖ ଜଣାଇବେ କି ବୋଲି ପଚରାଯିବାରୁ ସେ କହିଥିଲେ, ମୋଦୀଜୀ ମୋ ପୁଅ। ମୁଁ ତାଙ୍କ ମା’ ପରି। ମୁଁ ତାଙ୍କୁ ଜନ୍ମ ଦେଇନି। ମୋ ଭଉଣୀ ତାଙ୍କୁ ଜନ୍ମ ଦେଇଛନ୍ତି। କିନ୍ତୁ ସେ ମୋ ପୁଅ। ଟାଇମ୍‌ ମାଗାଜିନ୍‌ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବାରୁ ସେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ, ଲଣ୍ଡନ୍‌ର ଭାରତୀୟ ବଂଶୋଦ୍ଭବ ଡାକ୍ତର ରବିନ୍ଦ୍ର ଗୁପ୍ତା , ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍ ଖୁରାନା ଏବଂ ଶାହିନ୍‌ ବାଗ୍‌ ଦିଦି ବିଲ୍‌କିସ୍‌ ୨୦୨୦ ବର୍ଷ ପାଇଁ ଟାଇମ୍‌ ମାଗାଜିନ୍‌ର ଶ୍ରେଷ୍ଟ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ମୋଦୀ ଭାରତର ଏକମାତ୍ର ରାଜନେତା ଭାବେ ଟାଇମ୍‌ ମାଗାଜିନ୍‌ର ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି।ପୂର୍ବରୁ ୨୦୧୪, ୨୦୧୫ ଏବଂ ୨୦୧୭ରେ ମଧ୍ୟ ମୋଦୀଙ୍କ ନାମ ଟାଇମ୍‌ ମାଗାଜିନ୍‌ର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଥିଲା। ଅନ୍ୟପକ୍ଷେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) କୁ ବିରୋଧ କରି ହୋଇଥିବା ଶାହିନ୍‌ ବାଗ୍‌ ଆନ୍ଦୋଳନରେ ଜଣେ ଚର୍ଚ୍ଚିତ ଚେହେରା ବିଲକିସ୍‌ ମଧ୍ୟ ଟାଇମ୍‌ର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ରହିଛନ୍ତି।

ସମ୍ବନ୍ଧିତ ଖବର