ପ୍ରତ୍ୟେକ ଭାରତୀୟ ଜମ୍ମୁ-କଶ୍ମୀର-ଲଦାଖ୍‌ ଲୋକଙ୍କ ସହିତ ଅଛନ୍ତି

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ବ୍ୟବସ୍ଥା ଭିତରେ ରହିବାକୁ ବାଧ୍ୟ କରୁଥିବା ଧାରା ୩୭୦ର ସ୍ଥିତିକୁ ବଦଳାଇ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ଭାରତୀୟ ଜମ୍ମୁ କଶ୍ମୀର ଏବଂ ଲଦାଖବାସୀଙ୍କ ସହିତ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସରକାରଙ୍କ ପଦକ୍ଷେପକୁ ସମସ୍ତେ ସମର୍ଥନ କରୁଛନ୍ତି। ପୂର୍ବରୁ ଯେଉଁ କାମ ଅସମ୍ଭବ ଲାଗୁଥିଲା ଏବେ ତାହା ସମ୍ଭବ ହୋଇଛି। ଆତଙ୍କବାଦୀଙ୍କ ପ୍ରତି ଦରଦ ରଖୁଥିବା କିଛି ବ୍ୟକ୍ତି ବି‌ଶେଷ, ଗୋଷ୍ଠୀ ଏବଂ ରାଜନୈତିକ ବଂଶ ଏହାର ବିରୋଧ କରୁଥିବା ବେଳେ ସମଗ୍ର ଦେଶ ସରକାରଙ୍କ ନିଷ୍ପତ୍ତି ପଛରେ ଏକଜୁଟ ହୋଇ ରହିଛି। ସରକାର ଜମ୍ମୁ କଶ୍ମୀର ଏବଂ ଲଦାଖକୁ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ରାଜନୈତିକ ବିଷୟ ନୁହେଁ, ରାଷ୍ଟ୍ରର ସୁରକ୍ଷା, ଗୌରବ ଏବଂ ସ୍ବାଭିମାନର ବିଷୟ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦ୍ବିତୀୟ ପାଳି କାର୍ଯ୍ୟକାଳର ୭୫ ଦିନ ପୂର୍ତ୍ତି ଅବସରରେ ଆଇଏଏନ୍‌ଏସ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, କଶ୍ମୀରରେ ଏବେ ଯେଉଁ ସ୍ଥିତି ରହିଛି ତାହ ଖୁବ୍‌ଶୀଘ୍ର ବଦଳିଯିବ। ପୂର୍ବରୁ ଧାରା ୩୭୦ ବ୍ୟବସ୍ଥାରେ କେବଳ କିଛି ରାଜନୈତିକ ପରିବାର ଏବଂ ବିଚ୍ଛିନ୍ନତାବାଦୀମାନେ ଫାଇଦା ନେଉଥିଲେ। ଲୋକଙ୍କ ମଧ୍ୟରେ ଏହା ବିଭାଜନ ଏବଂ ବିଭେଦର ପାଚେରି ଛିଡ଼ା କରାଇଥିଲା। ଏବେ କଶ୍ମୀରରେ ବିକାଶର ମାର୍ଗ ଉନ୍ମୁକ୍ତ ହୋଇଛି ଏବଂ ବିକାଶ ବିରୋଧୀଙ୍କ କୌଣସି ଚାଲ୍‌ ଆଉ କାମ ଦେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜମ୍ମୁ କଶ୍ମୀର ଏବଂ ଲଦାଖ ଅଂଚଳର ବିକାଶ ସେଠାକାର ଜନସାଧାରଣଙ୍କ ସ୍ବପ୍ନ, ଆଶା ଏବଂ ଅକାଂକ୍ଷା ଅନୁଯାୟୀ ସାକାର ହେବ। ଏବେ ଧାରା ୩୭୦ ଏବଂ ୩୫-ଏ ଯୋଗୁଁ ରହିଥିବା କଟକଣା ଶୃଙ୍ଖଳ ହଟିଯାଇ ଥିବାରୁ ଲୋକେ ନିଜ ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବା ସମୟ ଆସିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର