ନବଭାରତ ନିର୍ମାଣ ପଥେ: ଯୋଗୀଙ୍କ କାନ୍ଧରେ ମୋଦୀଙ୍କ ହାତ

ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ସେୟାର କଲେ ଯୋଗୀ
ବିରୋଧୀଙ୍କ କଟାକ୍ଷ: ଦଳର ଭାବମୂର୍ତ୍ତି ରକ୍ଷା ପାଇଁ ଛଳନା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଏକ ଫଟୋ ଟ୍ବିଟରରେ ସେୟାର୍ କରି ତା’ ତଳେ ଏକ କବିତା ଲେଖିଛନ୍ତି, ଯେଉଁଥିରେ ନବଭାରତ ନିର୍ମାଣ ଦୁହିଁଙ୍କର ଇଚ୍ଛା ବୋଲି ପ୍ରକାଶ ପାଉଛି। କବିତାଟି ହେଉଛି: ‘‘ହମ୍ ନିକଲ ପଡ଼େ ହେଁ ପ୍ରଣ କରକେ/ଅପନା ତନମନ ଅର୍ପଣ କରକେ/ଜିଦ ହୈ ଏକ ସୂର୍ୟ ଉଗାନା ହୈ/ଅମ୍ବର ସେ ଊଁଚା ଜାନା ହୈ/ଏକ ଭାରତ ନୟା ବନାନା ହୈ।’’

ଶୁକ୍ରବାରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ବୁନ୍ଦେଲଖଣ୍ଡ ଅଞ୍ଚଳରେ ୬୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଭିତ୍ତିଭୂମି ପ୍ରକଳ୍ପ ଉଦ୍‌ଘାଟନରୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତା’ପରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଏକ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଲକ୍ଷ୍ନୌ ଯାଇଥିଲେ। ତେବେ ଯୋଗୀ ସେୟାର କରିଥିବା ଫଟୋକୁ ନେଇ ବିରୋଧୀ ଦଳମାନେ କଟାକ୍ଷ କରିଛନ୍ତି। ବିଜେପିର ଭାବମୂର୍ତ୍ତି ରକ୍ଷା ପାଇଁ ଏହା ଏକ ଛଳନା ବୋଲି ସମାଜବାଦୀ ପାର୍ଟି କହିଛି।

ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେପରି ଉତ୍ତରପ୍ରଦେଶ ପାଇଁ ନିର୍ବାଚନ ବିଗୁଲ ବଜାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଏହି ଉତ୍ତରପ୍ରଦେଶ ଥିଲା ଦାରିଦ୍ର୍ୟ-ପୀଡ଼ିତ ଓ ମାଫିଆଙ୍କ ଚରାଭୂଇଁ ଏବଂ ଏହି ଏକ୍ସପ୍ରେସ୍‌ୱେ ହେବ ରାଜ୍ୟ ଉନ୍ନତିର ତ୍ବରିତ ରାଜପଥ। ଯେଉଁସବୁ ଅଞ୍ଚଳରେ ୨୦୧୭ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ନ ଥିଲା, ସେଠାରେ ଲୋକଙ୍କ ମନ ଜିଣିବା ପାଇଁ ଯୋଗୀ ସରକାର ବିଭିନ୍ନ ପ୍ରକାର ଭିତ୍ତିଭୂମି ପ୍ରକଳ୍ପ ଉଦ୍‌ଘାଟନ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର