ମରି ନାହିଁ ମାନବିକତା : ଆହତଙ୍କୁ କାନ୍ଧରେ ବୋହି ରେଳଧାରଣା ଉପରେ ଦେଢ଼ କିଲୋମିଟର ଦୌଡ଼ିଲେ କନେଷ୍ଟବଲ; ବଞ୍ଚିଲା ଜୀବନ, ଭିଡିଓ ହେଲା ଭାଇରାଲ

ହୋସଙ୍ଗାବାଦ (ମଧ୍ୟପ୍ରଦେଶ): ‘ମରି ନାହିଁ ମାନବିକତା; ଏବେ ବି ବଞ୍ଚିଛି ମାନବିକତା’: ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ହୋସଙ୍ଗାବାଦର ଜନୈକ ପୁଲିସ୍‌ କନେଷ୍ଟବଳ ପୁନମ୍‌ ବିଲୋରି। ଆଜି ସେ ଯେଉଁ ବିରଳ ମାନବିକତା ଦେଖାଇଛନ୍ତି, ତାହାର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ତାଙ୍କ ନିକଟକୁ ଦେଶର ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

ଘଟଣାଟି ଏହିପରି; ଆଜି ସକାଳୁ ସକାଳୁ ହୋସଙ୍ଗାବାଦ ପୁଲିସ୍‌ ଥାନାକୁ ଏକ ଫୋନ୍‌ ଆସିଲା। ଫୋନ୍‌ ଧରିଲେ ଥାନାର କନେଷ୍ଟବଲ ପୁନମ୍‌ ବିଲୋରି। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ତାଙ୍କୁ ସୂଚନା ଦେଇ କହିଲେ ରାବଣ ପିିପଲଗାଁଓ ଅଞ୍ଚଳ ଦେଇ ଯାଇଥିବା ରେଳ ଧାରଣା କଡ଼ରେ ଜଣେ ଅଜ୍ଞାତ ଯୁବକ କ୍ଷତବିକ୍ଷତ ହୋଇ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଛି। ଯୁବକ ଜଣକ ଜୀବିତା ନା ମୃତ ଜଣା ପଡ଼ୁନାହିଁ!

News18.com

ଏ ସୂଚନା ପାଇବା ମାତ୍ରେ ଥାନାର ଜୀପ୍‌ରେ ଡ୍ରାଇଭର ରାହୁଲ ସାକେଲେଙ୍କୁ ସଙ୍ଗରେ ଧରି ଘଟଣା ସ୍ଥଳକୁ ଛୁଟିଗଲେ କନେଷ୍ଟବଲ ବିଲୋରି। ହେଲେ, ଘଟଣାସ୍ଥଳକୁ ପୁଲିସ୍‌ ଜୀପ୍‌ ଯିବା ପାଇଁ କୌଣସି ରାସ୍ତା ନଥିଲା। ଫଳରେ ଘଟଣାସ୍ଥଳ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଜୀପ୍‌ ଓ ଡ୍ରାଇଭର ରାହୁଲଙ୍କୁ ଛାଡ଼ିଦେଇ, ତାଙ୍କୁ ଫୋନ୍‌ କରିଥିବା ବ୍ୟକ୍ତିକୁ ଧରି ସେ ଚାଲି ଚାଲି ଯାଇ ଘଟଣାସ୍ଥଳରେ ପହଞ୍ଚିଲେ। ଘଟଣାସ୍ଥଳରେ ପହଞ୍ଚି କନେଷ୍ଟବଲ ବିଲୋରି ଦେଖିଲେ ଯେ ଚଳନ୍ତା ଟ୍ରେନ୍‌ରୁ ଯୁବକ ଜଣକ ଖସି ପଡ଼ିବା ପରେ ତାଙ୍କ ଗୋଡ଼ କଟିଯାଇଛି।

ପରେ, ସେ ଯେତେବେଳେ ଦେଖିଲେ ଯେ ଯୁବକ ଜଣକ ଜୀବିତ ଅଛନ୍ତି ସେ ତାକୁ ତୁରନ୍ତ ହସ୍‌ପିଟାଲକୁ ନେବାକୁ ବାହାରିଲେ। ହେଲେ, ନେବେ କେମତି ଜୀପ୍‌ ତ ଯାଇ ଦେଢ଼ କିଲୋମିଟର ଦୂରରେ! ତହୁଁ ସେ ଆଉ ଆଗ ପଛ ବିଚାର ନକରି ଆହତ ଯୁବକ ଜଣଙ୍କୁ ନିଜ କାନ୍ଧରେ ଉଠାଇଲେ ଓ ରେଳ ଧାରଣା ଉପରେ ଦୌଡ଼ି ଦୌଡ଼ି ଯାଇ ପହଞ୍ଚିଲେ ନିଜ ଜୀପ୍‌ ନିକଟରେ। ପରେ ତାଙ୍କୁ ପୁଲିସ୍‌ ଜୀପ୍‌ରେ ନେଇ ହସ୍ପିଟାଲରେ ପହଞ୍ଚାଇଲେ ଚକିତ୍ସା ପାଇଁ। ହସ୍ପିଟାଲରେ ତୁରନ୍ତ ଚିକିତ୍ସା ସୁବିଧା ପାଇ ଆହତ ଯୁବକ ଜଣକ ବଞ୍ଚିଗଲେ ମୁଖରୁ। ଆହତ ଯୁବକ ଜଣଙ୍କର ନାମ ଅଜିତ୍‌ ଓ ତାଙ୍କର ବୟସ ୨୦ ବର୍ଷ ବୋଲି ଜାଣିବାକୁ ମିଳିଛି।


ତେବେ କନେଷ୍ଟବଲ ପୁନମ୍‌ ବିଲୋରି ଆହତ ଯୁବକ ଜଣଙ୍କୁ ନିଜ କାନ୍ଧରେ ଉଠାଇ ରେଳ ଧାରଣା ଉପରେ ଦୌଡ଼ି ଥିବା ସମୟର ଦୃଶ୍ୟକୁ ତାଙ୍କୁ ଘଟଣାସ୍ଥଳକୁ ଡକାଇଥିବା ବ୍ୟକ୍ତି ଜଣକ ନିଜ ମୋବାଇଲରେ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଏହା ଭାଇରାଲ ହୋଇଛି। ଏବଂ ଘଟଣା ଜାଣିବା ପରେ କନେଷ୍ଟବଳ ପୁନମ୍‌ ବିଲୋରିଙ୍କ ନିକଟକୁ ଦେଶର ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର