ନାନସି ପେଲୋସିଙ୍କ ସ୍ବାମୀଙ୍କ ଉପରେ ଆକ୍ରମଣ

ସାନ ଫ୍ରାନସିସକୋ : ଆମେରିକାର ସଂସଦର ନିମ୍ନ ସଦନର ବାଚସ୍ପତି ନାନସି ପେଲୋସିଙ୍କ ସ୍ବାମୀ ପଲ ପେଲୋସିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଶୁକ୍ରବାର ସକାଳେ ଜଣେ ବ୍ୟକ୍ତି ସାନ ଫ୍ରାନସିସକୋସ୍ଥିତ ପେଲୋସିଙ୍କ ଘରର ଝରକା ଭାଙ୍ଗି ଘରେ ଅନୁପ୍ରବେଶ କରିଥିଲା । ଉକ୍ତ ବ୍ୟକ୍ତି ପଲଙ୍କ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ପଲ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରମଣ ସମୟରେ ନାନସି ପେଲୋସି ଘରେ ନଥିଲେ ।

ଏହି ଘଟଣା ଉପରେ ଡେମୋକ୍ରାଟିକ ଦଳ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଉଛି ଯେ, ଆକ୍ରମଣକାରୀକୁ ପୁଲିସ ଗିରଫ କରିଛି । ତେବେ ଆକ୍ରମଣର ଉଦ୍ଦେଶ୍ୟ ଜଣାପଡ଼ିନାହିଁ । ଏ ନେଇ ପୁଲିସ ତଦନ୍ତ ଚଳାଇଛି । ଗତ ମେ ମାସରେ ମଦ ପିଇ ଗାଡ଼ି ଚଳାଇବା ଓ ଦୁର୍ଘଟଣା ଘଟାଇବା ଅଭିଯୋଗରେ ପଲଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ନାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଆମେରିକା ଓ ଚୀନ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଥିଲେ ।  ଚୀନ ଭୀଷଣ ପ୍ରତିକ୍ରିୟାଶୀଳ ହବା ସହ ତାଇଓ୍ବାନକୁ ଘେରି ବୃହତ ସମରାଭ୍ୟାସ କରିଥିଲା । ପରେ ଆମେରିକା ଓ ଚୀନର ଉଦ୍ୟମ ପରେ ସ୍ଥିତି ଶାନ୍ତ ହୋଇଥିଲା । କିନ୍ତୁ ଏବେ ବି ତାଇଓ୍ବାନ ଅଂଚଳରେ ଉତ୍ତେଜନା ଲାଗି ରହିଛି । ୨୦୨୪ରେ ଆମେରିକାରେ ନିର୍ବାଚନ ହେବାକୁ ଯାଉଥିବାବେଳେ ନାନସି ରାଷ୍ଟ୍ରପତି ଦୌଡ଼ରେ ସାମିଲ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର