ମୁଲାୟମ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ହସପିଟାଲରେ ପହଞ୍ଚିଲେ ପୁଅ ଅଖିଳେଶ

ନୂଆଦିଲ୍ଲୀ : ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ସିସିୟୁ (କ୍ରିଟିକାଲ କେୟାର ୟୁନିଟ୍ )ରେ ରଖାଯାଇଛି ଓ ପରବର୍ତ୍ତୀ ୨୪ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତରମାନେ କହିଛନ୍ତି । ଇତି ମଧ୍ୟରେ ମୁଲାୟମଙ୍କ ପୁଅ ଅଖିଳେଶ ଯାଦବ ହସପିଟାଲରେ ପହଞ୍ଚିଛନ୍ତି ।

କିଛି ଦିନ ତଳେ ମୁଲାୟମ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  କିନ୍ତୁ ରବିବାର ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।

୮୨ ବର୍ଷୀୟ  ଏହି ବରିଷ୍ଠ ନେତା ବର୍ତ୍ତମାନ ଲୋକସଭାରେ ମୈନପୁରୀ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି ।

ସମାଜବାଦୀ ପାର୍ଟି ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, ମୁଲାୟମଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ତାଙ୍କୁ ହସପିଟାଲରେ ଭେଟିବା ସମ୍ଭବ ନୁହେଁ । ଏଣୁ ଦଳୀୟ କର୍ମୀମାନେ ହସପିଟାଲକୁ ନଯିବାକୁ ନିବେଦନ କରାଯାଇଛି । ସମୟ ସମୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥାର ସୂଚନା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ମୁଲାୟମଙ୍କ ଅସୁସ୍ଥତା ସଂପର୍କରେ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛମ୍ତି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଅଖିଳେଶଙ୍କ ସହ କଥା ହୋଇଥିଲେ । ଏହା ସହିତ ସେ ମେଦାନ୍ତର ଡାକ୍ତରମାନଙ୍କ ସହ କଥା ହୋଇଥିଲେ ।

ସମ୍ବନ୍ଧିତ ଖବର