ମୁମ୍ବାଇରେ ଅସମ୍ଭାଳ ହେଉଛି କୋଭିଡ୍‌-୧୯ ସ୍ଥିତି: ଜାରି ହୋଇପାରେ ଆଂଶିକ ‘ଲକ୍‌ଡାଉନ’; ମନ୍ତ୍ରୀ ଅସଲମ ଶେଖ 

ମୁମ୍ବାଇ: ପ୍ରତ୍ୟେକ ଦିନ କ୍ରମାଗତ ଭାବେ ବଢ଼ି ଚାଲିଥିବା କୋଭିଡ୍‌-୧୯ ମାମଲାରେ ଯଦି ହ୍ରାସ ପରିଲକ୍ଷିତ ନହୁଏ, ତେବେ ମୁମ୍ବାଇରେ ଆଂଶିକ ‘ଲକ୍‌ଡାଉନ୍‌’ ବା ତାଲାବନ୍ଦ ଘୋଷଣା କରାଯିବ ବୋଲି ଆଜି ମହାରାଷ୍ଟ୍ର କ୍ୟାବିନେଟରେ ମୁମ୍ବାଇ ଦାୟିତ୍ୱରେ ଥିବା ମନ୍ତ୍ରୀ ଅସଲମ ଶେଖ କହିଛନ୍ତି।

ମନ୍ତ୍ରୀ ଶେଖ୍‌ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୁମ୍ବାଇରେ ବଢ଼ି ଚାଲିଥିବା କୋଭିହ୍‌-୧୯ ସଂକ୍ରମଣ ନେଇ ଆଲୋଚନା କରାଯାଇଛି। ସେ କହିଛନ୍ତି ଯେ ଗତ ବର୍ଷ ସେପ୍ଟେମ୍ବରରେ ଦେଖାଯାଇଥିବା କୋଭିଡ୍‌-୧୯ ଶିଖର ସମୟରେ ଦେଖାଦେଇଥିବା ସ୍ଥିତିକୁ ସାଂପ୍ରତିକ ସ୍ଥିତି ଫେରୁଥିବାରୁ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା।

ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାସ୍କ ନ ପିନ୍ଧିବା କିମ୍ବା ବିବାହ ହଲ୍‌ ଏବଂ ପବ୍‌ଗୁଡିକରେ ଭିଡ଼ ନ ଜମାଇବା କିମ୍ବା ସାମାଜିକ ଦୂରତା ଭଳି ନିୟମର କଡ଼ାକଡ଼ି ପାଳନ ପାଇଁ ଜରିମାନା ଲାଗୁ କରି ସରକାର ପ୍ରଥମେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ କୋଭିଡ୍‌-୧୯ ପରୀକ୍ଷଣ ବୃଦ୍ଧି ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ହେଲେ, କ୍ରମବର୍ଦ୍ଧିଷ୍ଣୁ କୋଭିଡ୍‌-୧୯ ମାମଲାରେ ଯଦି ତୁରନ୍ତ ହ୍ରାସ ପରିଲକ୍ଷିତ ନ ହୁଏ ତେବେ ମୁମ୍ବାଇରେ ଆଂଶିକ ଲକଡାଉନ୍‌ ଜାରି କରାଯାଇପାରେ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତି ଏବେ ଉଦ୍‌ବେଗଜନକ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମକୁ କଠୋର ପଦକ୍ଷେପ ନେବାକୁ ପଡ଼ିବ। କିଛି ଜିଲ୍ଲା ପାଇଁ ଆବଶ୍ୟକ ହେଲେ ଲକଡାଉନ୍‌ ଜାରି କରାଯିବ। ଲକ୍‌ଡାଉନ୍‌ ଉପରେ ନିଷ୍ପତ୍ତି ନେବାକୁ ଆମେ ଜିଲ୍ଲା ପ୍ରଶାସନକୁ କ୍ଷମତା ପ୍ରଦାନ କରିଛୁ ବୋଲି ମନ୍ତ୍ରୀ ଶ୍ରୀ ଟୋପେ କହିଛନ୍ତି।

ସମ୍ବନ୍ଧିତ ଖବର