ମୁମ୍ବାଇର ସିନ୍ଧିଆ ହାଉସ୍‌ରେ ଅଗ୍ନିକାଣ୍ଡ, ଆୟକର ବିଭାଗର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଥିବା ଆଶଙ୍କା

ମୁମ୍ବାଇ: ଆର୍ଥିକ ରାଜଧାନୀ ମୁମ୍ବାଇର ସିନ୍ଧିଆ ହାଉସ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ସିନ୍ଧିଆ ହାଉସର ୩ୟ ଓ ୪ର୍ଥ ମହଲାରେ ହୋଇଥିବା ଅଗ୍ନିକାଣ୍ଡରେ ଆୟକର ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଥିବା ଆଶଙ୍କା କରାଯାଉଛି। ଏହି କୋଠାର ଆୟକର ବିଭାଗର କାର୍ଯ୍ୟାଳୟ ରହିଛି।

ନିଅାଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୫ଟି ଗାଡ଼ ପହଞ୍ଚିଛି। କୁହାଯାଉଛି ଯେ ୨ୟ ମହଲାରେ ପ୍ରଥମେ ନିଅାଁ ଲାଗିଥିଲା। ପରେ ଏହା ୩ୟ ଓ ୪ର୍ଥ ମହଲାକୁ ବ୍ୟାପିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ ଏହି କୋଠାରେ ଆୟକର ବିଭାଗର କାର୍ଯ୍ୟାଳୟ ଅଛି। କୁହାଯାଉଛି ଯେ, ପିଏନ୍‌ବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ସହିତ ଜଡ଼ିତ ସମସ୍ତ କାଗଜପତ୍ର ଏହି କାର୍ଯ୍ୟଳୟରେ ଅଛି। ରିପୋର୍ଟ ଲେଖାଯିବା ବେଳକୁ କୌଣିସି ଜିନିଷପତ୍ର କ୍ଷୟକ୍ଷତି ହୋଇ ନାହିଁ କିମ୍ବା କୌଣସି ବ୍ୟକ୍ତି ଆହତ ହୋଇ ନଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି।

ପାଠକଙ୍କ ମନେ ଥିବ ଯେ, ଗତ ବର୍ଷ ନ୍ୟୁୟର ପାର୍ଟି ବେଳେ ମୁମ୍ବାଇସ୍ଥିତ କମଳା ମିଲ୍ସରେ ଥିବା ଏକ ପବ୍‌ରେ ନିଅାଁ ଲାଗିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର