କର୍ତାରପୁର କରିଡର୍‌ ଉତ୍ସବକୁ ମୋ ବନ୍ଧୁ ଇମ୍ରାନ୍‌ ନିମନ୍ତ୍ରଣ କରିଛନ୍ତି, ନିଶ୍ଚୟ ଯିବି: ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: କର୍ତାରପୁର ସୀମା କରିଡର୍‌ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେବାକୁ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ଗସ୍ତରେ ଯିବେ। ସିଦ୍ଧୁ କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ତାଙ୍କ ବନ୍ଧୁ ନିମନ୍ତ୍ରଣ କରିଥିବାରୁ ସେ ଆନନ୍ଦରେ ନିମନ୍ତ୍ରଣ ଗ୍ରହଣ କରିଛନ୍ତି।

ସେ କହିଛନ୍ତି: ଏକଜୁଟ ହେବା ନିମନ୍ତେ ଗୁରୁ ନାନକ ଦୁଇ ଦେଶକୁ ସହାୟତା କରୁଛନ୍ତି। କୋଟି କୋଟି ଲୋକଙ୍କ ପ୍ରାର୍ଥନା ଆଜି ବାସ୍ତବ ହୋଇଛି। ତିନି ମାସ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୋ ବନ୍ଧୁ (ଇମ୍ରାନ୍‌ ଖାଁ) ମତେ ନିମନ୍ତ୍ରଣ କରିଛନ୍ତି, ମୁଁ ନିଶ୍ଚୟ ଯିବି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏ ଉପକ୍ରମ ଦୁଇ ଦେଶର ବନ୍ଧନକୁ  ମଜବୁତ କରି ରକ୍ତପାତ ଶେଷ କରିବ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନଭେମ୍ବର ୨୮ ତାରିଖ ଦିନ ପାକିସ୍ତାନ ପଟୁ ଏହି କରିଡର୍‌ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଉଦ୍‌ଘାଟନ କରିବେ। ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ୍‌ ଚୌଧୁରୀ ପୂର୍ବରୁ ନିଶ୍ଚିତ କରି କହିଥିଲେ ଯେ ସିଦ୍ଧୁ ତାଙ୍କ ଦେଶ ଗସ୍ତରେ ଆସିବେ। ଏ ବର୍ଷ ଏହା ହେବ ସିଦ୍ଧୁଙ୍କର ଦ୍ୱିତୀୟ ପାକିସ୍ତାନ ଗସ୍ତ।

ସମ୍ବନ୍ଧିତ ଖବର