ଭାରତ ସୀମାରେ ମିଆଁମାରର ଉତ୍ପାତ

ଇମ୍ଫାଲ : ମଣିପୁରରେ ଭାରତୀୟ ଅଂଚଳକୁ ମିଆଁମାର ସେନା ଓ ନାଗରିକଙ୍କ ଅନୁପ୍ରବେଶ ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି। ମେ ୧ ତାରିଖ ଦିନ ମିଆଁମାର ସେନା ସହାୟତାରେ ଶତାଧିକ ଗ୍ରାମବାସୀ ଭାରତର ଅଂଚଳରେ ପଶି ୨ଟି ଗାଁକୁ ନିଜ ଦଖଲକୁ ନେଇଛନ୍ତି। ଗ୍ରାମବାସୀମାନେ ଭୟରେ ଗାଁ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିବା ବେଳେ ଏବେ ସେଠାରେ ମିଆଁମାର ନାଗରିକମାନେ କବ୍‌ଜା କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏଥିସହିତ ପୂର୍ବରୁ ରହିଥିବା ସୀମାକୁ ପରିବର୍ତ୍ତନ କରି ମିଆଁମାର ସେନା ଭାରତୀୟ ଅଂଚଳରେ ନିଜ ସୀମା ପାଚେରି ନିର୍ମାଣ କରୁଥିବାରୁ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଭାରତୀୟ ଅଂଚଳରେ ଏଭଳି ଅନୁପ୍ରବେଶ ଏବଂ ଜବରଦଖଲ ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମିଆଁମାର ଗସ୍ତ କରି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ ଏ ବାବଦରେ ସ୍ଥିତି ସ୍ପଷ୍ଟ ହୋଇନାହିଁ।

ମିଆଁମାର ସହ ଏଭଳି ସୀମା ବିବାଦୀ ନୂଆ ନଥିଲେ ମଧ୍ୟ ଏଥର ସେନା ସହାୟତାରେ ଅନୁପ୍ରବେଶକାରୀମାନେ ଯେଭଳି ଉପାୟରେ ୨ ଗାଁ ଦଖଲ କଲେ ତାହା ଘୋର ଚିନ୍ତାର କାରଣ ହୋଇଛି ବୋଲି ଚୋକ୍‌ଟଙ୍ଗ ଗ୍ରାମର ମୁଖିଆ ଲେଇନାଇ କହିଛନ୍ତି। ପୂର୍ବରୁ କେବେ ବି ବିବାଦ ଘେରକୁ ଆସିନଥିବା ଭାରତୀୟ ଗ୍ରାମକୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ମିଆଁମାର ସେନା ନିଜ ଅକ୍ତିଆରକୁ ନେଇଛି ଏବଂ ସେଠାରେ ସ୍ଥାୟୀ ଶିବିର ନିର୍ମାଣ କରିବାକୁ ଉଦ୍ୟମ କରୁଛି। ସୀମାରେ ପିଲାର୍‌ ନଂ ୮୧ରୁ ୮୮ ମଧ୍ୟରେ ହୋଇଥିବା ଏହି ଜବରଦଖଲକୁ ବିରୋଧ କରି ମିଳିତ ନାଗା ପରିଷଦର ସଦସ୍ୟମାନେ ସେଠାକୁ ଗସ୍ତ କରିଥିଲେ । ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ସେମାନେ ଅବଗତ କରାଇଛନ୍ତି। ମିଆଁମାର ସେନା ଦଖଲରୁ ଉକ୍ତ ଅଂଚଳକୁ ମୁକ୍ତ କରି ସେଠାରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ନାଗା ପରିଷଦ ଦାବି କରିଛି ।

ସମ୍ବନ୍ଧିତ ଖବର