ପରଲୋକରେ ନାମୱର ସିଂହ

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟ ଜଗତର ପ୍ରସିଦ୍ଧ ସମାଲୋଚକ ତଥା ଜେଏନ୍‌ୟୁର ପ୍ରାକ୍ତନ ପ୍ରଫେସର ଡକ୍ଟର ନାମୱର ସିଂହଙ୍କର ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା ଏବଂ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଗତରାତିରେ ଦିଲ୍ଲୀ ଏମ୍‌ସରେ ନାମୱରଙ୍କ ପରଲୋକ ଘଟିଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ସ୍ବାଧୀନ ଭାରତରେ ହିନ୍ଦୀ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ନାମୱର ସର୍ବାଧିକ ଚର୍ଚ୍ଚିତ ବ୍ୟକ୍ତିତ୍ବ ଥିଲେ। ଆଜି ଲୋଧି ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ନାମୱରଙ୍କ ବିୟୋଗରେ ହିନ୍ଦୀ ସାହିତ୍ୟର ଅପୂରଣୀୟ କ୍ଷତି ଘଟିଲା ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ନାମବର ୨୮ ଜୁଲାଇ ୧୯୨୬ରେ ବାରଣାସୀର ଜୀୟନପୁର (ଚନ୍ଦୌଲି)ରେ ଜନ୍ମ ଗ୍ରହଣ କରିଥିଲେ। ୧୯୭୧ରେ ତାଙ୍କୁ ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ପୁସ୍ତକ ‘କବିତା କେ ନୟେ ପ୍ରତିମାନ’, ‘ଛାୟାବାଦ’, ‘ନାମବର ସିଂହ ଏବଂ ସମୀକ୍ଷା’, ‘ଆଲୋଚନା ଏବଂ ବିଚାରଧାରା’ ଆଦି ବେଶ୍‌ ଚର୍ଚ୍ଚିତ।

ସମ୍ବନ୍ଧିତ ଖବର