କଂଗ୍ରେସ ଛାଡ଼ିଥିବା ନାରାୟଣ ରାଣେ ଗଢ଼ିଲେ ନୂତନ ପାର୍ଟି ‘ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ’

ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଛାଡ଼ିଥିବା ନାରାୟଣ ରାଣେ ନିଜର ଏକ ରାଜନୈତିକ ଦଳ ଗଠନ କରିବେ ବୋଲି ରବିବାର ଘୋଷଣା କରିଛନ୍ତି। ମୁମ୍ବାଇରେ ରାଣେ ‘ମହାରାଷ୍ଟ୍ର ସ୍ୱଭିମାନ ପକ୍ଷ’ ନାମରେ ନୂତନ ପାର୍ଟି ଗଢ଼ିବେ ବୋଲି କହିଛନ୍ତି। ପାର୍ଟିର ଚିହ୍ନ କ’ଣ ହେବ ତାହା ଏଯାବତ୍‌ ସ୍ଥିର ହୋଇନାହିଁ।

ସୂଚନାଯୋଗ୍ୟ, କଂଗ୍ରେସରୁ ଇସ୍ତଫା ଦେବା ପରେ ନାରାୟଣ ରାଣେ ଏନଡିଏ ସହିତ ମିଶି ପାରନ୍ତି କିମ୍ବା ରାଜ୍ୟର ଦେବେନ୍ଦ୍ର ଫଡର୍ଣ୍ଣବିସ ସରକାରରେ ମନ୍ତ୍ରୀ ବି ହୋଇପାରନ୍ତି ! ଏତଦ୍‌ବ୍ୟତୀତ ରାଣେଙ୍କୁ ରାଜସ୍ୱ କିମ୍ବା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ମନ୍ତ୍ରୀ ବି କରାଯାଇପାରେ ବୋଲି ଶୁଣିବାକୁ ମିଳୁଥିଲା।

କଂଗ୍ରେସରୁ ଇସ୍ତଫା ଦେବା ପରେ ରାଣେ ବିଜେପିରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା। ତେବେ ରାଣେ କଂଗ୍ରେସର ପ୍ରାଥମିକତା ସଦସ୍ୟତା ସହିତ ବିଧାନ ପରିଷଦରୁ ବି ଇସ୍ତଫା ଦେବା ପରେ ଦିଲ୍ଲୀ ଯାଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟି ଥିଲେ। ନାରାୟଣ ରାଣେ କଂଗ୍ରେସ ପୂର୍ବରୁ ଶିବସେନାରେ ସାମିଲ ଥିଲେ। ବାଲ ଠାକରେ, ନାରାୟଣ ରାଣେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଣେ ଓ ଉଧବ ଠାକରେଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। କିଛିଦିନ ଏପରି ଚାଲିବା ପରେ ଠାକରେ ୨୦୦୫ରେ ରାଣେଙ୍କୁ ପାର୍ଟିରୁ ବାହାର କରି ଦେଇଥିଲେ।

 

 

ସମ୍ବନ୍ଧିତ ଖବର