ଭାରତର ଚିନ୍ତା ବଢ଼ାଉଛି ନେପାଳ

କାଠମାଣ୍ଡୁ: ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ (ଓବିଓଆର) ମାଧ୍ୟମରେ ସମଗ୍ର ବିଶ୍ୱରେ ନିଜର ବ୍ୟବସାୟ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଥିବା ଚୀନ୍‌  ଏହି ପ୍ରକଳ୍ପରେ  ସଂପୂର୍ଣ୍ଣ ସାମିଲ ହେବାପାଇଁ ନେପାଳକୁ ମନାଇବାରେ ସକ୍ଷମ ହୋଇଛି। ଓବିଓଆରକୁ ନେଇ ଚୀନ୍‌ର ସବୁ ସର୍ତ୍ତରେ ନେପାଳ ରାଜି ହୋଇଯାଇଥିବାରୁ ଏହା ଭବିଷ୍ୟତରେ ଭାରତ ପାଇଁ  ଚିନ୍ତାର କାରଣ ହେବ ବୋଲି ଆଶଙ୍କା କରାଯାଉଛି। ଭାରତ ଓବିଓଆର୍‌କୁ ଜୋରଦାର ବିରୋଧ କରିବା ସହ ଏହାର ବିକଳ୍ପ ମାର୍ଗ ଖୋଜୁଥିବା ବେଳେ ପାକିସ୍ତାନ ଓ ନେପାଳ ଓବିଓଆର୍‌କୁ ସମର୍ଥନ କରି ଚୀନ୍‌ ପ୍ରତି ସେମାନଙ୍କ ଆନୁଗତ୍ୟ ଦେଖାଇଛନ୍ତି। ବିଗତ ୧୦ ବର୍ଷ ହେଲା ରାଜନୈତିକ ସ୍ଥିରତା ପାଇଁ ସଂଗ୍ରାମ କରୁଥିବା ନେପାଳ ଏବେ ଚୀନ୍‌ର ପ୍ରଲୋଭନର ଶିକାର ହୋଇଛି।  ଚୀନ୍‌ ବିଦେଶ ମନ୍ତ୍ରୀ ୟୁ ହୋଙ୍ଗ ଆଜି ନେପାଳ ଗସ୍ତରେ ଯାଇ ନେପାଳ ନେତୃତ୍ୱ ସହ ଦୁଇ ଦେଶ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ପାଇଁ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତି ସମୀକ୍ଷା ଏବଂ ଆକଳନ ଆରମ୍ଭ ହୋଇଯାଇଥିବାରୁ ଓବିଓଆର୍‌ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରି ଭାରତକୁ ଝଟ୍‌କା ଦେବାକୁ  ଚୀନ୍‌ ଲକ୍ଷ୍ୟ ରଖିଛି। ଆଜି ଚୀନ୍‌ ବୈଦେଶିକ ମନ୍ତ୍ରୀ  କହିଛନ୍ତି ୨୦୦୯ରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବ୍ୟପକ ସହଭାଗିତା ଏବଂ ସହଯୋଗ ଏବେ ନୂଆ ପର୍ଯ୍ୟାୟରେ ପହଞ୍ଚିଛି।

ନିକଟରେ ମାନିଲାରେ ଅନୁଷ୍ଠିତ ପୂର୍ବ ଏସିଆ ରାଷ୍ଟ୍ର ସଂଘ (ଆସିଆନ୍‌) ସମ୍ମିଳନୀ ଅବସରରେ ଚୀନ୍‌ର ବିସ୍ତାରବାଦୀ ଯୋଜନାର ମୁକାବିଲା  ପାଇଁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା    ମିଳିତ କୂଟନୀତି ଆରମ୍ଭ କରିଛନ୍ତି।  ଏହି ୪ ରାଷ୍ଟ୍ର ମଧ୍ୟରେ ପ୍ରଥମ ପ୍ରତିନିଧିସ୍ତରୀୟ  ବୈଠକ ମାନିଲାରେ ଅନୁଷ୍ଠିତ ହେବାପରେ ଚୀନ୍‌ ହଡ଼ବଡ଼େଇ ଯାଇଛି ଏବଂ ଭାରତ ଉପରେ ଚାପ ସୃଷ୍ଟି ପାଇଁ ନେପାଳ ଓ ପାକିସ୍ତାନକୁ ଅସ୍ତ୍ର କରିବାକୁ ଚାହୁଛି।   ଓବିଓଆର  ମୁକାବିଲା ପାଇଁ ଭାରତ-ଜାପାନ-ଆମେରିକା ମିଳିତ ଯୋଜନା   ଆରମ୍ଭ କରିଦେଇଥିବାରୁ ଚୀନ୍‌ ଏବେ କେବଳ ଭାରତ ଉପରେ ଚାପ ସୃଷ୍ଟି ପାଇଁ ବାଟ ଖୋଜୁଛି। ପାକିସ୍ତାନକୁ ପ୍ରଧାନ୍ୟ ଦେଇ ଚୀନ୍‌ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ପାକ୍‌-ଚୀନ୍‌ ଆର୍ଥିକ କରିଡର କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିବାରୁ ଭାରତ ଏହାର କଡ଼ା ବିରୋଧ କରି ଆସୁଥିବାରୁ ଭାରତ ହିଁ ଓବିଓଆର କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ବୋଲି ଚୀନ୍‌ କୂଟନୀତିଜ୍ଞମାନେ ମତ ଦେଇଛନ୍ତି। ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ଏକଚାଟିଆ ନୀତିକୁ  ଭାରତ ବିରୋଧ କରିବା ପରେ ଚୀନ୍‌ ଉପରେ ମଧ୍ୟ ଅନ୍ତର୍ଜାତୀୟ ଚାପ ବଢ଼ିଛି।

ସମ୍ବନ୍ଧିତ ଖବର