ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ବାଇକ୍ ଉପରେ ରୋକ: ତଦନ୍ତ ନସରିବା ପର୍ଯ୍ୟନ୍ତ ନୂତନ ମଡେଲ୍‌ ଆସିବନି

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟରଗୁଡ଼ିକରେ ବାରମ୍ବାର ନିଆଁ ଲାଗିବା ଓ ଦୁର୍ଘଟଣାଗ୍ରସ୍ତ ହୋଇ ଲୋକଙ୍କ ପ୍ରାଣହାନି ହେବା ଭଳି ଖବରକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବା ଲାଗି ଯେଉଁ ତଦନ୍ତ ଚାଲିଛି ତାହା ଶେଷ ନହେବା ପର୍ଯ୍ୟନ୍ତ କୌଣସି ନୂଆ ମଡେଲ୍‌ର ବଜାର ପ୍ରବେଶ ନକରିବାକୁ କଂପାନିଗୁଡ଼ିକୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ମୌଖିକ ଭାବେ ନିର୍ଦେଶ ଦେଇଛି। ଯଦି କୌଣସି ଗାଡ଼ିରେ ନିଆଁ ଲାଗିଛି ତେବେ ସେହି ବ୍ୟାଚ୍‌ରେ ତିଆରି ହୋଇଥିବା ବୁ ଗାଡ଼ିକୁ ଗ୍ରାହକଙ୍କଠାରୁ କଂପାନିଗୁଡ଼ିକ ସେଚ୍ଛାକୃତ ଭାବେ ମଗାଇବା ଦରକାର ବୋଲି ସରକାର କହିଛନ୍ତି।

ଗାଡ଼ି ତିଆରି ସମୟରେ ମୋଟର ଯାନ ନିୟମରେ ରହିଥିବା ନିୟମ ଓ ବ୍ୟବସ୍ଥାଗୁଡ଼ିକୁ କଡ଼ାକଡ଼ି ଭା‌ବେ ପାଳନ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଏହି ନିୟମ ଆଧାରରେ ଗାଡ଼ି ରିକଲ୍‌ କରିବା ଲାଗି କଂପାନିଗୁଡ଼ିକୁ ନିର୍ଦେଶ ଦେବାର କ୍ଷମତା ସରକାରଙ୍କୁ ଦିଆଯାଇଛି। କିଛି ଦିନ ପୂର୍ବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଇଲେକ୍ଟ୍ରିକ୍ ଯାନ ନିର୍ମାତାମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଅବହେଳା କରୁଥିବା ସଂସ୍ଥାଗୁଡ଼ିକ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ ବୋଲି ଧମକ ଦେଇଥିଲେ। ଏଥିସହିତ ସ୍ବେଚ୍ଛାକୃତ ଭାବେ ଗାଡ଼ି ରିକଲ୍‌ କରିବା ପାଇଁ ମଧ୍ୟ କଂପାନିଗୁଡ଼ିକୁ କହିଥିଲେ।

ସମ୍ବନ୍ଧିତ ଖବର