ଜୁଲାଇ ୧ରୁ ସୁପ୍ରିମ୍ କୋର୍ଟରେ କାର୍ଯ୍ୟକାରୀ ହେବ ନୂତନ ‘ରୋଷ୍ଟର’ ବ୍ୟବସ୍ଥା; ଆଗତ ପିଆଇଏଲ୍ଗୁଡ଼ିକର ଶୁଣାଣି କରିବେ ୫ ବରିଷ୍ଠ ବିଚାରପତି
ନୂଆଦିଲ୍ଲୀ: ଗ୍ରୀଷ୍ମ ଅବକାଶ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ଆସନ୍ତା ଜୁଲାଇ ୧ ତାରିଖ ସୋମବାର ଠାରୁ ଖୋଲିବା ପାଇଁ ଯାଉଛି। ଏଥିସହ ଜୁଲାଇ ୧ ତାରିଖ ଠାରୁ ସୁପ୍ରିମ୍ କୋର୍ଟରେ ନୂତନ ‘ରୋଷ୍ଟର’ (ମାମଲା ଆବଣ୍ଟନ) ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ରୋଷ୍ଟର ବ୍ୟବସ୍ଥାରେ ଏଣିକି ସୁପ୍ରିମ୍ କୋର୍ଟରେ ଆଗତ ହେଉଥିବା ସମସ୍ତ ‘ଜୁରିସ୍ଡିକ୍ସନ୍ ଓଭର ଲେଟର ପିଟିସନସ୍’ (ଜେଏଲ୍ପି) ଓ ସମସ୍ତ ‘ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ’ (ପିଆଇଏଲ୍) ମାମଲାର ଶୁଣାଣି ସୁପ୍ରିମ୍ କୋର୍ଟର ୫ ଜଣ ବରିଷ୍ଠତମ ବିଚାରପତି କରିବେ। ପିଆଇଏଲ୍ ମାମଲାଗୁଡ଼ିକର ଶୁଣାଣି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍.ଏ ବୋବ୍ଦେ, ଜଷ୍ଟିସ୍ ଏନ୍.ଭି. ରମନ୍ନା, ଜଷ୍ଟିସ୍ ଅରୁଣ ମିଶ୍ର ଓ ଜଷ୍ଟିସ୍ ଆର୍.ଏଫ୍ ନରିମାନ୍ କରିବେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ପିଆଇଏଲ୍ ମାମଲାଗୁଡ଼ିକର ଶୁଣାଣି କେବଳ ମାତ୍ର ଜଷ୍ଟିସ୍ ମଦନ ବି ଲୋକୁର ଓ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହିଁ ହେଉଥିଲା।
ସେହିପରି ନୂତନ ରୋଷ୍ଟର ବ୍ୟବସ୍ଥାରେ ହୋଇଥିବା ଆଉ ଏକ ବଡ଼ ପରିବର୍ତ୍ତନ ଅନୁଯାୟୀ ଏଣିକି ସୁପ୍ରିମ୍ କୋର୍ଟରେ ଆଗତ ହେଉଥିବା ସମସ୍ତ ନିର୍ବାଚନ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ଶୁଣାଣି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ଓ ଜଷ୍ଟିସ୍ ଏସ୍.ଏ ବୋବ୍ଦେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ କରାଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ନିର୍ବାଚନ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ଶୁଣାଣି କେବଳ ମାତ୍ର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହିଁ ହେଉଥିଲା।
ଏଥିସହ ନୂତନ ରୋଷ୍ଟର ବ୍ୟବସ୍ଥାରେ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଏମ୍.ଏମ୍ ଶାନ୍ତନାଗୌଦର ଓ ଜଷ୍ଟିସ୍ ଅବଦୁଲ୍ ନଜିର ଏଣିକି ସୁପ୍ରିମ୍ କୋର୍ଟର ଖଣ୍ଡପୀଠରେ ଅଧ୍ୟକ୍ଷତା କରିବେ।