ଓମିକ୍ରନ୍ ଭାରିଆଣ୍ଟ ପାଇଁ ବଦଳିଲା ନିୟମ: ୧୪ ଦିନର ଯାତ୍ରା ବିବରଣୀ ସହ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନାର ନୂଆ ଓମିକ୍ରନ୍ ଭାରିଆଣ୍ଟ ପାଇଁ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ଯାହା ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୧୪ ଦିନର ଯାତ୍ରା ଇତିହାସ ବା ଟ୍ରାଭେଲ ହିଷ୍ଟ୍ରୀ ଏବଂ ନେଗେଟିଭ ଆରଟି ପିସିଆର ରିପୋର୍ଟ ଦାଖଲ କରିବାକୁ ପଡିବ |

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ଓମିକ୍ରନ୍ ଭାରିଆଣ୍ଟ ଆଶଙ୍କା ଥିବା ଦେଶରୁ( ‘ଆଟ ରିସ୍କ’) ଆସୁଥିବା ଯାତ୍ରୀମାନଙ୍କର ବିମାନବନ୍ଦରରେ କରୋନା ପରୀକ୍ଷା କରାଯିବ ଏବଂ ସେଠାରେ ସେମାନଙ୍କୁ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ରିପୋର୍ଟ ନକାରାତ୍ମକ ଆସେ ତେବେ ସେମାନଙ୍କୁ ୭ ଦିନ ପାଇଁ ଘରେ ସଙ୍ଗରୋଧରେ ରହିବାକୁ ପଡିବ | ଅଷ୍ଟମ ଦିନରେ ଦ୍ୱିତୀୟ ପରୀକ୍ଷା ହେବ ଏବଂ ଯଦି ରିପୋର୍ଟ ନେଗେଟିଭ ହୁଏ ତେବେ ଆଗାମୀ ୭ ଦିନ ପାଇଁ ସେଲ୍ଫ-ମନିଟରିଂ କରିବାକୁ ପଡିବ |

ସରକାର ଦକ୍ଷିଣ ଆଫ୍ରିକା ବ୍ୟତୀତ ବ୍ରିଟେନ, ବ୍ରାଜିଲ, ବାଂଲାଦେଶ, ବୋତସ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଏବଂ ଇସ୍ରାଏଲ୍ ସମେତ ୟୁରୋପୀୟ ଦେଶଗୁଡିକୁ ‘ଆଟ ରିସ୍କ’ ଦେଶ ବର୍ଗରେ ସ୍ଥାନିତ କରିଛନ୍ତି |

ସମ୍ବନ୍ଧିତ ଖବର