ନିରବ ବିଦେଶ ପଳାଇ ଯାଇନାହାନ୍ତି, ବ୍ୟବସାୟ କାମରେ ଯାଇଛନ୍ତି : ଓକିଲ

ନୂଆଦିଲ୍ଲୀ : ନିରବ ମୋଦି ଭାରତରୁ ପଳାୟନ କରିନାହାନ୍ତି, ସେ ବ୍ୟାବସାୟିକ ଗସ୍ତରେ ବିଦେଶକୁ ଯାଇଛନ୍ତି ବୋଲି ତାଙ୍କ ଓକିଲ ବିଜୟ ଅଗ୍ରଓ୍ଵାଲ କହିଛନ୍ତି ।

ସେ କହିଛନ୍ତି ଯେ ନିରବ ମୋଦିଙ୍କ ବିରୋଧରେ ପିଏନବି ପକ୍ଷରୁ ଅଣା ଯାଇଥିବା ଅଭିଯୋଗ ଏକ ଧୂଆଁବାଣ,ଏଥିରେ କିଛି ସତ୍ୟତା ନାହିଁ । ଟୁଜିି, ବୋଫର୍ସ ଓ ଆରୁଷି ମାମଲା ପରି ଏହି ମାମଲା ମଧ୍ୟ ଦିନେ ମିଥ୍ୟା ପ୍ରମାଣିତ ହେବ ବୋଲି କହିଛନ୍ତି ନିରବ ମୋଦିଙ୍କ ଓକିଲ ବିଜୟ ଅଗ୍ରଓ୍ଵାଲ । ସୂଚନାଯୋଗ୍ୟ କି ବିଜୟ ଅଗ୍ରଓ୍ଵାଲ ହିଁ କେତେଜଣ ଟୁଜି ଦୁର୍ନୀତି ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢୁଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଜଣେ ଡେପୁଟି ମ୍ୟାନେଜର ଗୋକୁଳ ନାଥ ସେଟ୍ଟୀଙ୍କ ଦ୍ୱାରା ଜାରି ଲେଟର ଅଫ ଅଣ୍ଡରଟେକିଂ (ଏଲଓୟୁ) ଓ ଫରେନ ଲେଟର ଅଫ କ୍ରେଡିଟ୍‌ ଭିତ୍ତିରେ ନିରବ ମୋଦି ଟଙ୍କାଠକି ନେଉଥିଲେ ଓ ପିଏନବି କର୍ତ୍ତୃପକ୍ଷ କିଛି ଜାଣିପାରୁ ନ ଥିଲେ ତାହା ଅସମ୍ଭବ । ମୁମ୍ବାଇର ବ୍ରାଡି ହାଉସ ଶାଖାରେ ସେଟ୍ଟୀଙ୍କ ଉପରେ ଜଣେ ଚିଫ୍‌ ମ୍ୟାନଜର ଓ ଏଜିଏମ୍ ଥିଲେ । ବ୍ୟାଙ୍କ ଚାର୍ଜ ବାବଦରେ ପିଏନବି ନିରବଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଛି । ଏଣୁ କେହି କିଛି ଜାଣି ନ ଥିଲେ ବୋଲି କହିବା ଆଶ୍ଚର୍ଯ୍ୟଜନକ । ତେବେ ନିରବ ମୋଦି କେବେ ଭାରତ ଫେରିବେ ବୋଲି କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ ସେ ମନାକରିଦେଇଛନ୍ତି ।

ସମ୍ବନ୍ଧିତ ଖବର