ଡିନାମାଇଟ୍‌ ବିସ୍ଫୋରଣରେ ଉଡ଼ିଗଲା ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ୧୦୦ କୋଟିର ଭବ୍ୟ ବିଳାସପୂର୍ଣ୍ଣ ଇମାରତ: ଦେଖନ୍ତୁ ଭିଡିଓ

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ହଜାର ହଜାର କୋଟି ହଡ଼ପ୍‌ କରି ପଳାତକ ସାଜିଥିବା ଭାରତୀୟ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଏକ ବିଳାସପୂର୍ଣ୍ଣ ଅଟ୍ଟାଳିକାକୁ ଆଜି (ଶୁକ୍ରବାର) ଧୂଳିସାତ୍‌ କରି ମାଟିରେ ମିଶାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ମୁମ୍ବାଇର ଅଲ୍ଲୀବାଗ ଅଞ୍ଚଳରେ ସମୁଦ୍ର କୂଳରେ ୩୩ ହଜାର ବର୍ଗଫୁଟ ଜମି ଉପରେ ପ୍ରାୟ ୧୦୦ କୋଟି ଟଙ୍କା ବିନିମୟରେ ନିର୍ମିତ ସମୁଦ୍ର ମୁହାଁ ଏହି ଭବ୍ୟ ଅଟ୍ଟାଳିକାକୁ ଭାଙ୍ଗି ମାଟିରେ ମିଶାଇବା ପାଇଁ ମହାରାଷ୍ଟ୍ର ପ୍ରଶାସନକୁ ବେଶ୍‌ ଗଳଦ୍‌ଘର୍ମ ହେବାକୁ ପଡ଼ିଥିଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ୧୩ ହଜାର କୋଟି ହଡ଼ପ୍‌ କରି ପଳାତକ ସାଜିବା ପରେ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଏହି ଭବ୍ୟ ବିଳାସପୂର୍ଣ୍ଣ ଇମାରତ୍‌କୁ ନିଜ କବ୍‌ଜାକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ତେବେ ସମସ୍ତ ପ୍ରକାରର ନୀତି ନିୟମକୁ ଉଲ୍ଲଂଘନ କରି ବେଳାଭୂମିର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ଗଢ଼ି ଉଠିଥିବା ଏହି ଭବ୍ୟ ବିଳାସପୂର୍ଣ୍ଣ ଇମାରତ୍‌କୁ ଧ୍ୱଂସ କରି ମାଟିରେ ମିଶାଇ ବେଦକୁ ମହାରାଷ୍ଟ୍ର ରାଏଗଡ଼ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଥିଲା ମୁମ୍ବାଇ ହାଇକୋର୍ଟ। ମୁମ୍ବାଇ ହାଇକୋର୍ଟର ଏହି ନିର୍ଦ୍ଦେଶ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ବିଳାସପୂର୍ଣ୍ଣ ଅଟ୍ଟାଳିକାରେ ମହଜୁଦ୍‌ ଥିବା ସମସ୍ତ ଆସବାବପତ୍ରକୁ ନିଜ ହେପାଜତକୁ ନେଇ ଯିବା ପରେ ଅଟ୍ଟାଳିକାକୁ ଭାଙ୍ଗି ମାଟିରେ ମିଶାଇ ଦେବା ପାଇଁ ରାଏଗଡ଼ ଜିଲ୍ଲପାଳଙ୍କୁ ହସ୍ତାନ୍ତର କରି ଦେଇଥିଲା।

ହେଲେ, ଏହି ଭବ୍ୟ ବିଳାସପୂର୍ଣ୍ଣ ଇମାରତ୍‌ ଏପରି ଢ଼ାଞ୍ଚାରେ ଓ ଏପରି ସମଗ୍ରୀ ବ୍ୟବହୃତ ହୋଇ ନିର୍ମିିତ ହୋଇଥିଲା ଯେ ରାଏଗଡ଼ ଜିଲ୍ଲା ପ୍ରଶାସନ ଏକାଧିକ ଏସ୍କାଭେଟର ଓ ବୁଲଡୋଜର ଲଗାଇ ସୁଦ୍ଧା ଏହାକୁ ଭାଙ୍ଗିବାରେ ସମର୍ଥ ହୋଇପାରି ନଥିଲା। ଶେଷରେ ଆଜି ଏକ ବିଶେଷଜ୍ଞ ଦଳକୁ ଡକାଇ ରାଏଗଡ଼ ଜିଲ୍ଲା ପ୍ରଶାସନ ତାଙ୍କ ହାତରେ ନିରବ ମୋଦୀଙ୍କ ଏହି ଭବ୍ୟ ବିଳାସପୂର୍ଣ୍ଣ ଇମାରତ୍‌ରେ ଏକାଧିକ ଡିଟୋନେଟର ଓ ଡିନାମାଇଟ୍‌ ଖଞ୍ଜି ଏହାକୁ ଧ୍ୱଂସ କରିବା ସହ ମାଟିରେ ମିଶାଇ ଦେଇଛି।

ସମ୍ବନ୍ଧିତ ଖବର