ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଲା ମୃତ୍ୟୁ ପରୱାନା

ନୂଆଦିଲ୍ଲୀ: ପୁଣି ଟଳିଲା ଫାଶୀ ତାରିଖ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଆସନ୍ତାକାଲି ଫାଶୀ ଲାଗି ଜାରି ହୋଇଥିବା ମୃତ୍ୟୁ ପରୱାନ‌ା ଉପରେ ରୋକ୍ ଲାଗିଛି। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ  ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କ ଫାଶୀ ଲାଗି ଜାରି କରିଥିବା ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନ‌ା ଉପରେ ରୋକ ଲଗାଇଛନ୍ତି। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଧର୍ମେନ୍ଦ୍ର ରାନା କହିଥିଲେ, ଦୋଷୀ ପବନ୍ ଗୁପ୍ତାର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ବିଚାରାଧୀନ ଥିବାରୁ ମୃତ୍ୟୁ ପରୱାନା କାର୍ଯ୍ୟକାରୀତାକୁ ପରବର୍ତ୍ତୀ ଆ‌ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଯଦିଓ ନିର୍ଭୟା ଦୋଷୀ ଅକ୍ଷୟ ଓ ପବନ୍ ଗତ ୨୯ ତାରିଖରେ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ଲାଗି କରିଥିବା ଆବେଦନକୁ ଆଜି ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଥିଲେ କିନ୍ତୁ ପବନର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସି ନ ଥିବାରୁ ରାୟ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ।

ଆଇନ ବି‌ଶେଷଜ୍ଞଙ୍କ କହିବା ଅନୁସାରେ, ପବନର ଏହା ଶେଷ ବିକଳ୍ପ ଓ ତା’ ବ୍ୟତୀତ ଅନ୍ୟ ୩ ଦୋଷୀଙ୍କ ନିକଟରେ ଆଉ କୌଣସି ନ୍ୟାୟିକ ବିକଳ୍ପ  ନାହିଁ। ପବନର ରାଜକ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆସିବା ପରେ ତା’ନିକଟରେ ଫାଶୀ ଟାଳିବାକୁ ଥିବା ସମସ୍ତ ବିକଳ୍ପ ଶେଷ ହେବ। ଯଦି ରାଷ୍ଟ୍ରପତି ତା’ର ରାଜକ୍ଷମା ଆବେଦନକୁ ଖାରଜ କରିଦିଅନ୍ତି ତେବେ ସେ ଶେଷ ବିକଳ୍ପ ଭାବେ ଏହାର ସମୀକ୍ଷା ଲାଗି ସୁପ୍ରିମ୍ କୋର୍ଟରେ ଆବେଦନ କରିପାରିବ। ମାତ୍ର ଏଥିପୂର୍ବରୁ ଅନ୍ୟ ଦୋଷୀଙ୍କର ଏପରି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ରାଷ୍ଟ୍ରପତି ମଧ୍ୟ ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି।

ସୂଚନା ମୁତାବକ, ଗତ ଶନିବାର ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ଏହା ମାଧ୍ୟମରେ ୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଥିଲା। ଏହି  ଆବେଦନକୁ ଦର୍ଶାଇ ଦୋଷୀ ପବନର ଓକିଲ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଲାଗି ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ। ଆଜି ସୁପ୍ରିମକୋର୍ଟ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିବା ପ‌ରେ ପବନ ପକ୍ଷରୁ ସଙ୍ଗେ ସଙ୍ଗେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର