ଫିଲିପାଇନ୍ସ : ସପିଂ ମଲରେ ୩୦ ଜଣଙ୍କୁ ବନ୍ଧକ ରଖିଲା ବନ୍ଧୁକଧାରୀ ବ୍ୟକ୍ତି

ମାନିିଲା : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସର ରାଜଧାନୀ ମାନିଲାରେ ଥିବା ଏକ ସପିଂ ମଲ୍‌ରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ପ୍ରାୟ ୩୦ ଜଣ ଲୋକଙ୍କୁ ମୁଣ୍ଡଜାମିନ ରଖିଛି । ଖବରପାଇ ମାନିଲା ପୁଲିସର ସ୍ୱତନ୍ତ୍ର ଫୋର୍ସ ସପିଂ ମଲକୁ ଚାରିପଟୁ ଘେରିଯିବା ସହ ଅପରେସନ ଆରମ୍ଭ କରିଛନ୍ତି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସ୍ଥାନୀୟ ସମୟ ସକାଳ ୧୦ ଟା (ଭାରତୀୟ ସମୟ ସକାଳ ୭ଟା)ରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ସାନଜୁଆନ ସିଟିରେ ଥିବା ଗ୍ରୀନ ହିଲ୍ସ ସପିଂ ମଲରେ ପ୍ରବେଶ କରି ଗୁଳି ଚଳାଇବା ଆରମ୍ଭ କରିଥିଲା । ଏହି ଗୁଳିଚାଳନାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛି । ସଂପୃକ୍ତ ବ୍ୟକ୍ତି ଉକ୍ତ ସପିଂ ମଲ୍‌ର ଜଣେ ପୂର୍ବତନ ନିରାପତ୍ତା କର୍ମଚାରୀ ବୋଲି ଜଣାପଡ଼ିଛି । ତାକୁ ଚାକିରିରୁ ବାହାର କରାଯିବାରୁ ସେ ରାଗିଯାଇ ଏପରି କରିଥିବା କୁହାଯାଉଛି । ସେ ୨ୟ ମହଲାରେ ଥିବା ମଲ୍‌ର ଅଫିସକୁ ଯାଇ ସେଠାରେ ୩୦ ଜଣ କର୍ମଚାରୀଙ୍କୁ ବନ୍ଧକ ରଖିଛି ।
ସର୍ବଶେଷ ଖବର ଅନୁସାରେ ଘଟଣାସ୍ଥଳରେ ପୁଲିସ, ସ୍ୱାଟ୍‌ ଟିମ ମୁତୟନ ହୋଇଛନ୍ତି ଓ ଉକ୍ତ ବ୍ୟକ୍ତି ସହ କଥାବାର୍ତ୍ତା କରିବାକୁ ଉଦ୍ୟମ ଚଳାଇଛନ୍ତି । ବନ୍ଧକ ଲୋକମାନଙ୍କୁ ସୁରକ୍ଷିତଭାବେ ମୁକ୍ତ କରିବା ଉପରେ ପୁଲିସ ସର୍ବାଧିକ ଗୁରୁତ୍ୱ ଦେଉଛି ।

ସମ୍ବନ୍ଧିତ ଖବର