ନିର୍ଭୟା‌ ମାମଲା: ଡେଥ୍‌ ୱାରେଣ୍ଟ୍‌ ଉପ‌ରେ ରହିତାଦେଶକୁ କେନ୍ଦ୍ର ସରକାରଙ୍କ ଚ୍ୟାଲେଂଜ

ଦିଲ୍ଲୀ ହାଇକୋର୍ଟରେ ରବିବାର ସ୍ବତନ୍ତ୍ର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା‌ ମାମଲାରେ ଆଜି ୪ ଦୋଷୀଙ୍କୁ ଫାଶୀ ହୋଇନାହିଁ। ଦୋଷୀଙ୍କ ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତା‌ଦେଶ ଲାଗିବାପରେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ସରକାର ଆଜି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନ ଆଧାରରେ ଦିଲ୍ଲୀ ‌ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସୁରେଶ କୈତ ଆଜି ୪ ଜଣ ଦୋଷୀ ମୁକେଶ କୁମାର, ବିନୟ ଶର୍ମା, ପୱନ ଗୁପ୍ତା ଏବଂ ଅକ୍ଷୟ ସିଂହକୁ ନୋଟିସ୍‌ କରିଛନ୍ତି। କୋର୍ଟ ମଧ୍ୟ ତିହାର ଜେଲ୍‌ କର୍ତ୍ତୃପକ୍ଷ ଏବଂ ଡିଜିଙ୍କୁ ନୋଟିସ୍‌ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ୩ଟାରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସ୍ବତନ୍ତ୍ର ଶୁଣାଣି କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ଦୋଷୀମାନେ ଆଇନରେ ଥିବା ଦୁର୍ବଳତାରୁ ଭରପୂର ଫାଇଦା ଉଠାଉଛନ୍ତି ଏବଂ ବିଭିନ୍ନ କୌଶଳ ଆପଣାଇ ଫାଶୀକୁ ବିଳମ୍ବ କରୁଛନ୍ତି। ଦୋଷୀମାନେ ଏବେ ଦେଶର ଧୈର୍ଯ୍ୟ ପରୀକ୍ଷା କରୁଥିବାରୁ ନିର୍ଭୟ‌ା ଗଣଦୁଷ୍କର୍ମ ମାମଲା ଇତିହାସ ପାଲଟିଯିବ ବୋଲି ମେହଟା କହିଛନ୍ତି।

ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲେ ଦୋଷୀ ବିନୟ, ଅକ୍ଷୟ
ବିନୟ ଶର୍ମାର ଆବେଦନ ଖାରଜ

୨୦୧୨ ନିର୍ଭୟା‌ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମସ୍ତ ଦୋଷୀ ଆଜି ଫାଶୀରୁ ବର୍ତ୍ତି ଯାଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀ ହେବ ନାହିଁ ବୋଲି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଗତକାଲି ଶୁଣାଣିରେ କହିଥିଲେ। ତେବେ ଫାଶୀରୁ ବର୍ତ୍ତିବାପାଇଁ ଦୋଷୀଙ୍କୁ ପୁଣିଥରେ ସମୟ ମିଳିଥିବାରୁ ଆଜି ୨ ଜଣ ଦୋଷୀ ବିନୟ ଶର୍ମା ଏବଂ ଅକ୍ଷୟ ଠାକୁର ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ତେବେ ବିନୟ ଶର୍ମାର କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷେ ଅକ୍ଷୟ ଠାକୁରର କ୍ଷମା ଆବେଦନ ଉପରେ ରାଷ୍ଟ୍ରପତି ନିଷ୍ପତ୍ତି ନେଇନାହାନ୍ତି। ଉଲ୍ଲେଖଯୋଗ୍ୟ ନିର୍ଭୟା ମାମଲାରେ ସମସ୍ତ ୪ ‌ଦୋଷୀଙ୍କ ମଧ୍ୟରୁ କେବଳ ମୁକେଶ ସିଂହର ସମସ୍ତ ନ୍ୟାୟିକ ପଦକ୍ଷେପ ଶେଷ ହୋଇଛି। ଅନ୍ୟପକ୍ଷେ ଅନ୍ୟ ୩ ଜଣ ‌ଦୋଷୀ ଫାଶୀରୁ ବର୍ତ୍ତିବାପାଇଁ ସେମାନଙ୍କ ନିକଟରେ ଥିବା ଶେଷ ନ୍ୟାୟିକ ପଦକ୍ଷେପକୁ ବ୍ୟବହାର କରିବା‌ରେ ଲାଗି ପଡ଼ିଛନ୍ତି। ତେବେ ଦୁଇ ଥର ଫାଶୀ ତାରିଖ ଘୁଞ୍ଚିବାପରେ ନିର୍ଭୟାଙ୍କ ମା’ ଆଶା ଦେବୀ ଭାଙ୍ଗି ପଡ଼ିଛନ୍ତି। ଦୋଷୀମାନଙ୍କର ବଞ୍ଚିବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର