ଲାଲୁ ପ୍ରସାଦ, ରାଜୀବ ପ୍ରତାପ ଓ ଚିରାଗଙ୍କୁ ଆଉ ମିଳିବ ନାହିଁ ବ୍ୟକ୍ତିଗତ ସିଆରପିଏଫ୍‌ ସୁରକ୍ଷା; କେନ୍ଦ୍ର ଗୃହ ମନ୍ତ୍ରାଳୟ କଲେ ପ୍ରତ୍ୟାହାର

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ଦେଶର କିଛି ପ୍ରମୁଖ ରାଜନୈତିକ ବ୍ୟକ୍ତି ବିଶେଷ (ଭିଆଇପି)ଙ୍କୁ ପ୍ରଦାନ କରା ଯାଉଥିବା ବ୍ୟକ୍ତିଗତ ସିଆରପିଏଫ୍‌ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି। ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହୃତ ହୋଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ତଥା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ରାଜୀବ ପ୍ରତାପ ରୁଡ଼ି ଏବଂ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ଚିରାଗ ପାଶ୍ୱାନ୍‌।

ପୂର୍ବରୁ ଏହି ସମସ୍ତ ନେତାମାନଙ୍କୁ କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ଫୋର୍ସ (ସିଆରପିଏଫ୍‌)ର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆ ଯାଇଥିଲା। ତେବେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଦେଶର ରାଜନେତାମାନଙ୍କୁ ଯୋଗାଇ ଦିଆ ଯାଉଥିବା ସ୍ୱତନ୍ତ୍ର ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରାଯିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ସହ ବିଚାର ବିମର୍ଶ କରାଯାଇ ଏହି ନେତାମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆ ଯାଇଥିବା ଜାଣିବା ପାଇଁ ମିଳିଛି। ଏହା ପୂର୍ବରୁ ଆଜି ସକାଳୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମିଳୁଥିବା ଜେଡ୍‌ ପ୍ଲସ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରତ୍ୟାହାର କରି ନେଇଥିଲେ।

ସମ୍ବନ୍ଧିତ ଖବର