ନୂତନ ସଂସଦ ଭବନର ଆବଶ୍ୟକତା ନ ଥିଲା: ନୀତୀଶ

ପାଟନା: ରବିବାର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦ୍‌ଘାଟନ ପୂର୍ବରୁ ଏହି ଭବନର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ଭବନର କ’ଣ ଆବଶ୍ୟକତା ଥିଲା ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ନୀତୀଶ କହିଛନ୍ତି ଯେ ପୁରୁଣା ସଂସଦ ଭବନ ଥିଲା ଏକ ଐତିହାସିକ ଭବନ। ବର୍ତ୍ତମାନ କ୍ଷମତାରେ ଥିବା ସରକାର ଦେଶର ଇତିହାସକୁ ବଦଳାଇବାକୁ ଚାହୁଛନ୍ତି ବୋଲି ନୀତୀଶ ଅଭିଯୋଗ କରିଛନ୍ତି। ଆଜି ନୂଆଦିଲ୍ଲୀରେ ନିତି ଆୟୋଗର ୮ମ କାଉନସିଲ ବୈଠକ ଥିବାବେଳେ ନୀତୀଶ ଏଥିରେ ଯୋଗ ଦେଇ ନାହାନ୍ତି। ନୀତୀଶ କହିଛନ୍ତି, ଏହି ବୈଠକରେ ଯୋଗ ଦେବା କିମ୍ବା ଆସନ୍ତାକାଲି ନୂତନ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବା ତାଙ୍କ ପାଇଁ ଅର୍ଥହୀନ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିମନ୍ତ୍ରଣକ୍ରମେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଭବନ ଉଦ୍‌ଘାଟନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଭବନ ଉଦ୍‌ଘାଟନ କରିବା ଉଚିତ ଥିଲା ବୋଲି କହି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଏହି ଉତ୍ସବକୁ ବର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର