୧୯୫୬ ମସିହା ପରେ କରୋନା ପାଇଁ ବନ୍ଦ ହେଲା ନୋବେଲ ପୁରସ୍କାର ସମାରୋହ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭୁତାଣୁ (କୋଭିଡ -୧୯) ସଂକ୍ରମଣ ହେତୁ ୬୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନୋବେଲ ପୁରସ୍କାର ସମାରୋହକୁ ବାତିଲ କରାଯାଇଛି। ନୋବେଲ ସପ୍ତାହ ଅବସରରେ ଏହି ସମାରୋହ ପାରମ୍ପରିକ ଭାବରେ ଆୟୋଜିତ ହୋଇଥାଏ,ଆଉ ପୁରସ୍କାର ବିଜେତାମାନଙ୍କୁ ସ୍ୱିଡେନର ରାଜଧାନୀ ଷ୍ଟକହୋମକୁ ନିମନ୍ତ୍ରଣ କରାଯାଇଥାଏ | ତେବେ ୨୦୨୦ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଏହି ସମାରୋହ ଅନୁଷ୍ଠିତ ହୋଇଥାଏ | କିନ୍ତୁ ଏଥର ସମାରୋହ ଅନୁଷ୍ଠିତ ହେବ ନାହିଁ।

ଶେଷ ଥର ପାଇଁ ୧୯୫୬ ମସିହାରେ ଏହି ସମାରୋହ ବାତିଲ ହୋଇଥିଲା | ସେତେବେଳେ ସୋଭିଏତ ସଂଘରେ ଚାଲିଥିବା ବିରୋଧ ଯୋଗୁଁ ଏହା ବନ୍ଦ ହୋଇଥିଲା। ଏହାପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ସମାରୋହକୁ ମଧ୍ୟ ବାତିଲ କରାଯାଇଥିଲା। ଏଠାରେ ସୂଚନା ଥାଉ କି ୧୯୦୧ ମସିହାରେ ସ୍ୱିଡ଼େନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ନୋବେଲ ଫାଉଣ୍ଡେସନ ଦ୍ୱାରା ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ଏବଂ ଶାନ୍ତି, ସାହିତ୍ୟ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ପୁରସ୍କାର ଦିଆଯାଏ ।

ନୋବେଲ ଫାଉଣ୍ଡେସନର ଅଧ୍ୟକ୍ଷ ଲାର୍ସ ହେକେନଷ୍ଟାଇନ କହିଛନ୍ତି ଯେ ପୁରସ୍କାର ସମାରୋହ ବାତିଲ ପଛରେ ଦୁଇଟି କାରଣ ଅଛି। ପ୍ରଥମରେ ଗୋଟିଏ ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କୁ ଏକତ୍ରିତ କରାଯାଇପାରିବ ନାହିଁ ଓ ଅନ୍ୟଟି ହେଉଛି ଲୋକମାନେ ଚଳିତବର୍ଷ ସ୍ୱିଡ଼େନକୁ ଆସିବାକୁ ଅନିଚ୍ଛା ପ୍ରକାଶ କରିପାରନ୍ତି | ଯାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି |

ସମ୍ବନ୍ଧିତ ଖବର