ଲୁଇସ୍‌ ଗ୍ଲକ୍‌ଙ୍କୁ ସାହିତ୍ୟରେ ନୋବେଲ୍‌

ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ କବୟିତ୍ରୀ ଲୁଇସ୍‌ ଗ୍ଲକ୍‌ଙ୍କୁ ସାହିତ୍ୟରେ ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କର ନିର୍ଭୁଲ କାବ୍ୟିକ ଉଚ୍ଚାରଣ ଯାହାକି ନିରାଟ ସରଳ ସୌନ୍ଦର୍ଯ୍ୟରେ ପ୍ରତ୍ୟେକଙ୍କ ଅସ୍ତିତ୍ବକୁ ସାର୍ବଭୌମିକ କରିପାରିଛି, ସେଥିପାଇଁ ତାଙ୍କୁ ଏହି ସମ୍ମାନର ଅଧିକାରିଣୀ ହେବାକୁ ଚୟନ କରାଯାଇଛି ବୋଲି ସାତ ଜଣିଆ ନୋବେଲ କମିଟି ପକ୍ଷରୁ କୁହାଯାଇଛି। କାଳ୍ପନିକ ଏବଂ ପୌରାଣିକ କଥାବସ୍ତୁ ସମେତ ଶାସ୍ତ୍ରୀୟ ରୂପକଳ୍ପରୁ ପ୍ରେରଣା ପାଇ ଗ୍ଲକ୍‌ ନିଜ କବିତାଗୁଡ଼ିକରେ ଯଥାସାଧ୍ୟ ସ୍ପଷ୍ଟତା ପ୍ରତିପାଦନ କରିବାର ପ୍ରୟାସ କରିଛନ୍ତି।

୧୯୪୩ ମସିହାରେ ନ୍ୟୁୟର୍କରେ ଜନ୍ମିତ ଗ୍ଲକ୍‌ ସମ୍ପ୍ରତି ୟେଲ୍‌ ବିଶ୍ବବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ଅଛନ୍ତି। ୧୯୬୮ ମସିହାରେ ପ୍ରକାଶିତ ତାଙ୍କର ପ୍ରଥମ କବିତା ଗ୍ରନ୍ଥ ‘ଫାଷ୍ଟ୍‌ବର୍ଣ୍ଣ’ ତାଙ୍କ ପାଇଁ ଅନେକ ପାଠକୀୟ ସ୍ବୀକୃତି ସହ ସ୍ବତନ୍ତ୍ର ପରିଚିତି ଆଣି ଦେଇଥିଲା। ପରେ ପରେ ସେ ଆମେରିକାର ସମକାଳୀନ ସାହିତ୍ୟର ବରେଣ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ପରିଗଣିତ ହୋଇଥିଲେ। ତାଙ୍କର ୧୨ଟି କବିତା ସଂକଳନ ଏବଂ କବିତା ସମ୍ପର୍କିତ କିଛି ନିବନ୍ଧ ମଧ୍ୟ ପ୍ରକାଶିତ ହୋଇ ପାଠକ ମହଲରେ ଆଶାତୀତ ଆଦୃତି ଲାଭ କରିଛି। ନିଜର ସ୍ବତନ୍ତ୍ର କୃତୀ ପାଇଁ ସେ ଅତୀତରେ ଅନେକ ସମ୍ମାନଜନକ ପୁରସ୍କାର ପାଇବାର ସୌଭାଗ୍ୟ ହାସଲ କରିଛନ୍ତି। ସେଥି ମଧ୍ୟରେ ୧୯୯୩ ମସିହାରେ ପୁଲିଜର ସମ୍ମାନ ଓ ୨୦୧୪ ମସିହାରେ ଆମେରିକାର ଜାତୀୟ ପୁସ୍ତକ ସମ୍ମାନ ଆଦି ରହିଛି।

ସମ୍ବନ୍ଧିତ ଖବର