ରାଜ୍ୟରେ ୧୧ ସିଏନ୍‌ଜି, ୨ ଅଟୋ ଏଲ୍‌ପିଜି ଷ୍ଟେସନ

ଭୁବନେଶ୍ବର(ପ୍ରଭାତ ପଟ୍ଟନାୟକ): ଗାଡ଼ିରେ ଗ୍ୟାସ୍‌କୁ ଇନ୍ଧନ ଭାବେ ବ୍ୟବହାର କରିବା ଲାଗି ସରକାର ଯେଉଁ ପରିକଳ୍ପନା ପ୍ରସ୍ତୁତ କରିଥିଲେ ତାହାର ଫଳ ସ୍ବରୂପ ରାଜ୍ୟରେ ଅଟୋ ଏଲ୍‌ପିଜି ଷ୍ଟେସନ ଓ ସିଏନ୍‌ଜି ଷ୍ଟେସନ ସ୍ଥାପନ କରାଯାଇଛି। ବର୍ତ୍ତମାନ ସୁଦ୍ଧା‌ ୧୧ଟି ସିଏନ୍‌ଜି ଷ୍ଟେସନ ଖୋଲାଯାଇଥିବା ବେଳେ ଭୁବନେଶ୍ବରରେ ମାତ୍ର ୨ଟି ଅଟୋ ଏଲ୍‌ପିଜି ଷ୍ଟେସନ ଥିଲା। ଚାରି ପାଞ୍ଚ ବର୍ଷ ପୂର୍ବେ ସିଆର୍‌ପି ଛକ ନିକଟସ୍ଥ ‌ଇଣ୍ଡିଆନ ଅଏଲ୍‌ର ପେଟ୍ରୋଲ୍ ପମ୍ପ୍ ଓ ରାଜଭବନ ନିକଟସ୍ଥ ପେଟ୍ରୋଲ୍ ପମ୍ପ୍‌ରେ ଏହି ଦୁଇ ଷ୍ଟେସନ ଖୋଲାଯାଇଥିଲା। ସିଆର୍‌ପି ନିକଟସ୍ଥ ଷ୍ଟେସନଟି ଦୀର୍ଘ ଦିନରୁ ବନ୍ଦ ରହିଛି। କେବଳ ରାଜଭବନ ନିକଟସ୍ଥ ଅଟୋ ଏଲ୍‌ପିଜି ଷ୍ଟେସନଟି କାର୍ଯ୍ୟକ୍ଷମ ଥିଲା ଯେଉଁଥିରେ ଗତକାଲି ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଇନ୍ଧନ ବିଶେଷ ଗ୍ରହଣୀୟ ନହେବାରୁ ଅଟୋ ଏଲ୍‌ପିଜି ଷ୍ଟେସନ ସଂଖ୍ୟା ସୀମିତ ରହିଯାଇଥିଲା।

ଏକ ପ୍ରମୁଖ ତୈଳ କଂପାନି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ତିନି ପ୍ରମୁଖ ସରକାରୀ ତୈଳ କଂପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ୧୬୦୦ରୁ ଅଧିକ ପେଟ୍ରୋଲ୍‌ ପମ୍ପ୍ ରହିଛି। ଇଣ୍ଡିଆନ ଅଏଲ୍‌ର ୮୯୫, ଭାରତ ପେଟ୍ରୋଲିୟମ୍‌ର ୪୫୦ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ୩୩୦ ପେଟ୍ରୋଲ୍‌ ପମ୍ପ୍ ରହିଛି। ଅଧିକାଂଶ ପେଟ୍ରୋଲ୍‌ ପମ୍ପ୍‌ରେ ପେଟ୍ରୋଲ୍‌ ଓ ଡିଜେଲ୍ ବିକ୍ରି ହୋଇଥାଏ। ମାତ୍ର ଦେଶକୁ ଗ୍ୟାସ୍‌ ଆଧାରିତ ଅର୍ଥନୀତି ଆଡ଼କୁ ନେବା ଲାଗି ବିଭିନ୍ନ ପ୍ରକାର ବିକଳ୍ପ ଇନ୍ଧନର ବ୍ୟବସ୍ଥା କରାଯାଇଥିଲା। ସେହି ଅନୁସାରେ ଅଟୋ ଏଲ୍‌ପିଜି ଷ୍ଟେସନ ଖୋଲାଯାଇଥିଲା। ଏହି ଏଲ୍‌ପିଜି କେବଳ ଗାଡ଼ିଗୁଡ଼ିକରେ ବ୍ୟବହାର ହୋଇଥାଏ। ନିୟମ ଅନୁସାରେ ଆଞ୍ଚଳିକ ପରିବହନ କେନ୍ଦ୍ର (ଆର୍‌ଟିଓ) ଠାରୁ ଗାଡ଼ି ପଞ୍ଜୀକରଣ ତଥ୍ୟ ହାସଲ କରିବା ପରେ ତେଲ କଂପାନିଗୁଡ଼ିକ କେ‌ତୋଟି ଗାଡ଼ିରେ ପେଟ୍ରୋଲ୍‌, ଡିଜେଲ୍ ଏବଂ କେତୋଟି ଗାଡ଼ିରେ ଗ୍ୟାସ୍‌କୁ ଇନ୍ଧନ ଭାବେ ବ୍ୟବହାର କରାଯିବ ତାହା ଆକଳନ କରିଥାନ୍ତି। କୌଣସି ନିର୍ଦିଷ୍ଟ ଅଞ୍ଚଳର ଆବଶ୍ୟକତା ଅନୁସାରେ ସେହି ସ୍ଥାନରେ ବିକଳ୍ପ ଇନ୍ଧନ ଯୋଗାଇବା ଲାଗି ପମ୍ପ୍ କିମ୍ବା ଷ୍ଟେସନ ସ୍ଥାପନ କରିବାର ବ୍ୟବସ୍ଥା କରାଯା‌ଏ। ଗାଡ଼ି ପଞ୍ଜୀକରଣ ତଥ୍ୟ ଅନୁସାରେ ଅଟୋ ଏଲ୍‌ପିଜି ଷ୍ଟେସନ ସ୍ଥାପନ କରାଯାଇଥିଲା। ମାତ୍ର ବ୍ୟାବସାୟିକ ଦୃଷ୍ଟିକୋଣରୁ ତାହା ଲାଭଦାୟକ ହୋଇନଥିଲା। ସେଥିପାଇଁ ସେଗୁଡ଼ିକର ସଂଖ୍ୟା ୨ରେ ସୀମିତ ରହିଯାଇଛି। ଇତି ମଧ୍ୟରେ ରାଜ୍ୟରେ କମ୍ପ୍ରେସଡ୍‌ ନାଚୁରାଲ୍ ଗ୍ୟାସ୍‌ (ସିଏନ୍‌ଜି) ଷ୍ଟେସନ ଖୋଲିବା ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ତିନିଟି ସହର ଭୁବନେଶ୍ବର, କଟକ ଓ ପୁରୀରେ ୧୧ଟି ସିଏନ୍‌ଜି ଷ୍ଟେସନ ଖୋଲାଯାଇଛି। ଭୁବନେଶ୍ବରରେ ୬ଟି, କଟକରେ ୪ଟି ଓ ପୁରୀରେ ଗୋଟିଏ ସିଏନ୍‌ଜି ଷ୍ଟେସନ ରହିଛି। କଂପାନିଗୁଡ଼ିକ ମଧ୍ୟରେ ଇଣ୍ଡିଆନ ଅଏଲ୍‌ର କଟକ ଓ ଭୁବନେଶ୍ବରରେ ଥିବା ଦୁଇଟି ଲେଖାଏଁ ପେଟ୍ରୋଲ୍ ପମ୍ପ୍‌ରେ ସିଏନ୍‌ଜି ଷ୍ଟେସନ ରହିଛି। ଭାରତ ପେଟ୍ରୋଲିୟମ୍‌ର କଟକରେ ୩ଟି ଓ ପୁରୀରେ ଗୋଟିଏ ଷ୍ଟେସନ ରହିଛି। ସେହିପରି ଏଚ୍‌ପିସିଏଲ୍‌ର କଟକରେ ଥିବା ଦୁଇଟି ପେଟ୍ରୋଲ୍ ପମ୍ପ୍‌ରେ ସିଏନ୍‌ଜି ଷ୍ଟେସନ ରହିଛି।

ରାଜ୍ୟରେ ପାଇପ୍‌ ଜରିଆରେ ଗ୍ୟାସ୍‌ ଯୋଗାଣ ବ୍ୟବସ୍ଥା କରିବା ଲାଗି ୫୨୦୦ କୋଟି ଟଙ୍କାର ଯୋଜନା ରହିଛି। ଯୋଜନା ଅନୁସାରେ ରାଜ୍ୟର ୧୩ଟି ଜିଲ୍ଲାର ୫୬୮ଟି ଗ୍ରାମରେ ପ୍ରାକୃତିକ ଗ୍ୟାସ୍‌ ସଂଯୋଗ ପ୍ରଦାନ କରାଯିବ। ଅନୁଗୁଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ପାଇପ୍‌ ଜରିଆରେ ଗ୍ୟାସ୍‌ ପାଇବେ। ଗ୍ୟାସ ବିତରଣ ପାଇଁ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଦେଇ ଧାମରା ପର୍ଯ୍ୟନ୍ତ ପ୍ରାୟ ୧୫୦୦ କିଲୋମିଟରର ପାଇପ୍‌ଲାଇନ୍ ଏବଂ ଭୁବନେଶ୍ବର, କଟକ, ପାରାଦୀପ ଓ ପୁରୀ ପର୍ଯ୍ୟନ୍ତ ୨୩୦ କିଲୋମିଟର ଶାଖା ପାଇପ୍‌ଲାଇନ୍‌ର କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହା ଦ୍ବାରା ରାଜ୍ୟର ୧.୨୦ କୋଟି ଲୋକ ଲାଭବାନ ହେବେ। ଅଢ଼େଇ ଲକ୍ଷ ପରିବାରକୁ ପାଇପ୍ ଜରିଆରେ ଗ୍ୟାସ୍‌ ଯୋଗାଇ ଦିଆଯିବ। ରାଜ୍ୟରେ ୪୦ରୁ ଅଧିକ ସିଏନ୍‌ଜି ଷ୍ଟେସନ ସ୍ଥାପନ କରିବାକୁ ଯୋଜନା ରଖାଯାଇଛି।

ସମ୍ବନ୍ଧିତ ଖବର