ପୂର୍ବ ଉପକୂଳ ସମୁଦ୍ରକୁ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ; ପ୍ରତିବାଦ କଲେ ଦକ୍ଷିଣ କୋରିଆ ଓ ଜାପାନ

ସିଓଲ୍‌: ଆଜି ସକାଳେ ଉତ୍ତର କୋରିଆ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।

ଦକ୍ଷିଣ କ‌ୋରିଆରେ ଆମେରିକାର ଗୋଟାଏ ବିମାନବାହୀ ଯୁଦ୍ଧପୋତ ପହଞ୍ଚୁଥିବାରୁ ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା ସୂଚନା ଦେଇଛି।

ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାର ବିମାନବାହୀ ପୋତ ‘ୟୁଏସ୍‌ଏସ୍‌ ନିମିଜ୍‌’ ଏବଂ ତା’ ସହିତ ଆଉ କେତୋଟି ଯୁଦ୍ଧପୋତ ମଙ୍ଗଳବାର ଦିନ ଦକ୍ଷିଣପୂର୍ବ ବନ୍ଦର ନଗରୀ ବୁସାନ୍‌ସ୍ଥିତ ଦକ୍ଷିଣ କୋରିଆର ନୌସେନା ବେସ୍‌ରେ ଲଙ୍ଗର୍‌ ପକାଇବ।

Image Courtesy of Mint

ଆଜି ସକାଳ ୭.୪୭ରେ ଉତ୍ତର ହ୍ବାଙ୍ଗ୍‌ଘାଏ ପ୍ରଦେଶରୁ ନିକ୍ଷେପ କରାଯାଇଥିବା ଉକ୍ତ କ୍ଷେପଣାସ୍ତ୍ର ଦୁଇଟି ପ୍ରାୟ ୩୭୦ କିଲୋମିଟର୍‌ ଦୂରକୁ ଉଡ଼ିଯାଇଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌’ କହିଛନ୍ତି।

ଜାପାନ ସରକାରଙ୍କ କହିବା ଅନୁସାରେ, ଦୁଇଟିଯାକ କ୍ଷେପଣାସ୍ତ୍ର ଜାପାନର ‘ଏକ୍ସ୍‌କ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ ବାହାରେ ପଡ଼ିଛି।

ଜାତିସଂଘ ନିରାପତ୍ତା ପରିଷଦ୍‌ର ପ୍ରସ୍ତାବନାକୁ ଉଲ୍ଲଂଘନ କରୁଥିବା ଏଭଳି ଅଯଥା କ୍ଷେପଣାସ୍ତ୍ର ନିକ୍ଷେପଣକୁ ଦକ୍ଷିଣ କ‌ୋରିଆ ସେନା ତୀବ୍ର ନିନ୍ଦା କରି ତୁରନ୍ତ ଏସବୁ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛି।

ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପଣ ଜାପାନ, ଆଖପାଖ ଅଞ୍ଚଳ ଓ ଆନ୍ତର୍ଜାତିକ ସମୁଦାୟର ନିରାପତ୍ତା ଓ ଶାନ୍ତିକୁ ବିପନ୍ନ କରୁଛି କହି ଜାପାନ ସରକାର ମଧ୍ୟ ଉତ୍ତର କୋରିଆକୁ ଦୃଢ଼ ପ୍ରତିବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର