କେବଳ ଭାରତର ଗଲ୍‌ୱାନ୍ ନୁହେଁ, ଅନେକ ପଡ଼ୋଶୀ ଦେଶଙ୍କ ସହ ଚୀନ୍‌ର ସୀମା ବିବାଦ ଚାଲିଛି

ନୂଆଦିଲ୍ଲୀ: କେବଳ ଭାରତର ଗଲ୍‌ୱାନ ଉପତ୍ୟକା ନୁହେଁ, ଚୀନ୍‌ର ଅନେକ ପଡ଼ୋଶୀ ଦେଶଙ୍କ ସହ ସୀମା ବିବାଦ ରହିଛି। ଏହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଚୀନ୍ ତା’ର ପଡ଼ୋଶୀ ରାଷ୍ଟ୍ରମାନଙ୍କ ପ୍ରତି ଖଳ ମନୋଭାବ ପୋଷଣ କରୁଛି।

ସମୟେ ସମୟେ ଚୀନ୍ ଅନ୍ୟ ରାଷ୍ଟ୍ରର ସୀମା ଟପିଯାଇ ନିଜର ଅଧିପତ୍ୟ ଜାହିର କରୁଥିବାର ଦୃଷ୍ଟାନ୍ତ ନୂଆ ନୁହେଁ। ସେହି ଭଳି ଏକ ଘଟଣା ହେଉଛି ଭାରତ-ଭୁଟାନ-ତିବ୍ବତ ସୀମାଞ୍ଚଳର ଡୋକ୍‌ଲାମ୍‌ ଅଞ୍ଚଳର। ସେଠାରେ ବେଜିଙ୍ଗ୍ର ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଭାରତ ଓ ଚୀନ୍ ସେନା ୭୩ ଦିନ ଧରି ମୁହାଁମୁହିଁ ହୋଇ ରହିଥିଲେ। ସେହିପରି ଭୁଟାନ୍-ଚୀନ୍ ସୀମାନ୍ତରେ ଭୁଟାନ୍ ମଧ୍ୟକୁ ପ୍ରବେଶ କରି ଚୀନ୍ କିଛି ଚାରଣଭୂମି ଦଖଲ କରି ସେଠାରେ ପାଟ୍ରୋଲିଙ୍ଗ୍ କରୁଛି।

ସମ୍ବଳ ସମୃଦ୍ଧ ଦକ୍ଷିଣ ଚୀନ୍ ସାଗରକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେବାକୁ ମଧ୍ୟ ଚୀନ୍ ବାହୁବଳ ପ୍ରୟୋଗ କରୁଛି। ଏହି ଜଳରାଶି ଉପରେ ତା’ର ଐତିହାସିକସୂତ୍ରରେ ଅଧିକାର ଅଛି ବୋଲି ଚୀନ୍ ଦାବି କରୁଛି। ୨୦୧୬ରେ ଏକ ଆଟ୍ରିବ୍ୟୁସନ୍ ରାୟ ଏହି ଦାବିକୁ ଟାଳି ଦେଇଥିଲେ ମଧ୍ୟ ଚୀନ୍‌କୁ ସେ ଅଞ୍ଚଳରେ ସାମରିକ ଆଡ୍ଡା ଜମାଇବାରୁ ବିରତ କରିପାରି ନାହିଁ।

Image Courtesy of CNN

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ତାଇୱାନ୍, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଫିଲିପ୍ପିନ୍ସ, ଏବଂ ଭିଏତ୍‌ନାମ ସହ ଚୀନ୍‌ର ଦ୍ବୀପ ଏବଂ ସାମୁଦ୍ରିକ ବିବାଦ ଲାଗିରହିଛି। ଏହା ବ୍ୟତିରେକେ, ଚୀନ୍ ଦାବି କରୁଛି ଯେ, ସମଗ୍ର ତାଇୱାନ୍ ତା’ର ଏବଂ ତା’ର ଦ୍ବୀପପୁଞ୍ଜ ଉପରେ ନିଜର ଆଧିପତ୍ୟ ଜାହିର କରିଛି।

ପୀତ ସାଗରରେ ଉତ୍ତର କୋରିଆ, ଦକ୍ଷିଣ କୋରିଆ ଏବଂ ଜାପାନ ସହ ଚୀନ୍‌ର ଏକ୍ସ୍‌କ୍ଲୁସିଭ୍ ଇକୋନମିକ୍ ଜୋନ୍ ବିବାଦ ରହିଛି। ଏହାଛଡ଼ା ଜାପାନର ସେନ୍‌କାକୁ/ଡିଆଓୟୁ ଦ୍ବୀପକୁ ନିଜର ବୋଲି ଚୀନ୍ ଦାବି କରୁଛି।

ନେପାଳର ଉତ୍ତରାଞ୍ଚଳ ଜିଲ୍ଲା ହୁମଲା, ରସୁୱା, ସିନ୍ଧୁପାଲଚୌକ୍ ଏବଂ ଶଙ୍ଖୁଆସଭାରେ ମଧ୍ୟ ଚୀନ୍ ସୀମା ଟପି କିଛି ଅଞ୍ଚଳ ଦଖଲ କରିନେଇଛି। କିନ୍ତୁ, ଚୀନ୍ ଠାରୁ ଆର୍ଥିକ ସହାୟତା ପାଉଥିବାରୁ ନେପାଳର କମ୍ୟୁନିଷ୍ଟ୍ ପାର୍ଟି ଏ ସଂକ୍ରାନ୍ତରେ ବିବାଦ ବଢ଼ାଉ ନାହିଁ।

ସମ୍ବନ୍ଧିତ ଖବର