ସିଙ୍ଗଲ୍‌ ମଦର ସାଜି‌ଲେ ନୁସ୍‌ରତ ଜହାଁ: ପୁଅର ବାପା ନାଁ ଦେଲେନି

ଅଭିନେତା ୟଶ୍‌ଙ୍କ ସହ ଡାକ୍ତରଖାନା ଛାଡ଼ିଲେ

କୋଲକାତା: ପ୍ରଖ୍ୟାତ ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସ୍‌ରତ ଜହାଁଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିଛି। ନୁସ୍‌ରତ କୋଳରେ ପୁଅ ‘ଈଶାନ’କୁ ଧରି ବଙ୍ଗଳା ଫିଲ୍ମର ଚର୍ଚ୍ଚିତ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କ ସହ ଡାକ୍ତରଖାନା ବାହାରକୁ ଆସିଥିଲେ। ୟଶ୍‌ ନିଜ ଗାଡ଼ିରେ ବସାଇ ନୁସ୍‌ରତ ଓ ପୁଅ ଈଶାନକୁ ପାମ୍‌ ଆଭିନ୍ୟୁସ୍ଥିତ ବାସଭବନରେ ଛାଡ଼ିଥିଲେ। ୟଶଙ୍କ ସହ ନୁସ୍‌ରତ୍‌ ହସ୍ପିଟାଲ ଛାଡ଼ୁଥିବା ଦୃଶ୍ୟ ଆଜି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ୟଶ୍‌ଙ୍କ ସହ ନୁସ୍‌ରତଙ୍କ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଏହା ସରଗରମ କରିଛି। ନୁସ୍‌ରତ କହିଛନ୍ତି ଯେ ସେ ପିଲାର ବାପା ନାଁ ରଖିବେ ନାହିଁ ଓ ‘ସିଙ୍ଗଲ ମଦର’ ହୋଇ ରହିବେ।

ସୂଚନାଯୋଗ୍ୟ, ନୁସ୍‌ରତଙ୍କର ୟଶ୍‌ଙ୍କ ସହ ନିବିଡ଼ ସମ୍ପର୍କ ଥିବା ଚର୍ଚ୍ଚା ହୋଇଆସୁଛି। ହେଲେ ଉଭୟଙ୍କ ପକ୍ଷରୁ ଏବେ ଯାଏଁ କୌଣସି ସ୍ପଷ୍ଟ ବୟାନ ଆସିନାହିଁ। ପ୍ରସବ ପାଇଁ ନୁସ୍‌ରତଙ୍କୁ ୟଶ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଅ ଜନ୍ମ ହେବା ପର୍ଯ୍ୟନ୍ତ ୟଶ୍‌ ଡାକ୍ତରଖାନାରେ ଅପେକ୍ଷା କରିଥିଲେ। ପୁଅ ଜନ୍ମ ହେବା ପରେ ୟଶ୍ ପ୍ରଥମେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ, ମାଆ ପୁଅ ସୁସ୍ଥ ଅଛନ୍ତି। ନୁସ୍‌ରତ ନିଜ ପୁଅ ନାଁ ‘ଈଶାନ’ ରଖିଛନ୍ତି। ଏହାର ଇଂରାଜୀ ବନାନରେ ସେ ପ୍ରଥମ ଅକ୍ଷର ‘ୱାଇ’ରୁ ଆରମ୍ଭ କରିଛନ୍ତି। ଏହି ନାଁ ଫିଲ୍ମ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କ ନାମ ସହ ମେଳ ଖାଉଛି। ଏଠାରେ ପ୍ରଶ୍ନ ଉଠୁଛି, ୟଶ୍‌ କ’ଣ ଏହି ପିଲାର ବାପା? ଅନ୍ତଃସତ୍ତ୍ବା ଥିବାବେଳେ ନୁସ୍‌ରତଙ୍କ ସହ ସବୁବେଳେ ୟଶ ହିଁ ଥାଆନ୍ତି। କିଛିଦିନ ପୂର୍ବେ ନୁସ୍‌ରତ ଏବଂ ୟଶ ପାର୍କ ଷ୍ଟ୍ରୀଟ୍‌ର ଏକ ବେକରୀକୁ ଯାଉଥିବାର ଦେଖିବାକୁ ମିଳିଥିଲା। ସେହିଦିନ ନୁସ୍‌ରତ ପ୍ରଥମ ଥର ପାଇଁ ‘ବେବି ବମ୍ପ’ରେ ସାର୍ବଜନିକ ଭାବେ ସମ୍ମୁଖକୁ ଆସିଥିଲେ। ନୁସ୍‌ରତ ପତି ବିଶିଷ୍ଟ ବ୍ୟବସାୟୀ ନିଖିଳ ଜୈନଙ୍କ ସହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ। ନୁସ୍‌ରତ୍‌ କହିଥିଲେ, ତୁର୍କୀରେ ହୋଇଥିବା ସେମାନଙ୍କ ବିବାହ ଆଇନ ସମ୍ମତ ନଥିଲା।। ସେମାନେ ଲିଭ୍‌-ଇନ୍‌ ସଂପର୍କରେ ରହୁଥିଲେ। ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବାବେଳେ ନୁସ୍‌ରତ୍‌ ଜନ୍ମ ଦେଇଥିବା ପିଲାର ବାପା ନୁହନ୍ତି ବୋଲି ନିଖିଲ ସ୍ପଷ୍ଟ କରିଥିଲେ। ଏହାପରେ ନୁସ୍‌ରତଙ୍କ ସନ୍ତାନର ପିତାଙ୍କୁ ନେଇ ଲଗାତାର ପ୍ରଶ୍ନ ଉଠିଥିଲା। ସୋସିଆଲ ମିଡିଆରେ ଲଗାତାର ନୁସ୍‌ରତଙ୍କୁ ଟ୍ରୋଲ୍‌ କରାଯାଉଥିଲା।

ସମ୍ବନ୍ଧିତ ଖବର